ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ ଏକ ବଡ଼ ନିଷ୍ପତ୍ତି ନେଇ ଉପଭୋକ୍ତା ଓ ବ୍ୟବସାୟୀମାନଙ୍କ ପାଇଁ ବ୍ରୋଡକାଷ୍ଟ ମେସେଜର ସଂଖ୍ୟା ସୀମିତ କରିବାକୁ ଯାଉଛି। ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂଆ ନିୟମ ଅନୁଯାୟୀ, ବ୍ୟକ୍ତିଗତ ଉପଭୋକ୍ତା ପ୍ରତି ମାସରେ ମାତ୍ର 35ଟି ବ୍ରୋଡକାଷ୍ଟ ମେସେଜ ପଠାଇ ପାରିବେ। ଏହି ପଦକ୍ଷେପ ଆପରେ ସ୍ପାମ ମେସେଜକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଛି।
କାହିଁକି ଏହି ପରିବର୍ତ୍ତନ?
ହ୍ୱାଟସଆପର ମୂଳ କମ୍ପାନୀ ମେଟା କହିଛି ଯେ, ଅନେକ ଉପଭୋକ୍ତା ଓ ବ୍ୟବସାୟୀ ବ୍ରୋଡକାଷ୍ଟ ଫିଚରର ଅପବ୍ୟବହାର କରୁଛନ୍ତି, ଯାହା ଦ୍ୱାରା ସ୍ପାମ ମେସେଜ ବୃଦ୍ଧି ପାଉଛି। ଏହା ଉପଭୋକ୍ତାଙ୍କ ଗୋପନୀୟତା ଓ ଅଭିଜ୍ଞତାକୁ ପ୍ରଭାବିତ କରୁଛି। ଏହି ସୀମା ମାଧ୍ୟମରେ ହ୍ୱାଟସଆପ ଉଚ୍ଚ ଗୁଣବତ୍ତା ଯୁକ୍ତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ସହ ସ୍ପାମ ମେସେଜରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି।
ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ ନୂଆ ସୀମା
ନୂଆ ନିୟମ ଅନୁଯାୟୀ, ବ୍ୟକ୍ତିଗତ ଉପଭୋକ୍ତା ପ୍ରତି ମାସରେ 35ଟି ବ୍ରୋଡକାଷ୍ଟ ମେସେଜ ପଠାଇ ପାରିବେ। ଏକ ବ୍ରୋଡକାଷ୍ଟ ମେସେଜରେ ସର୍ବାଧିକ 256 ଜଣ ସମ୍ପର୍କୀୟଙ୍କୁ ଯୋଡ଼ା ଯାଇପାରିବ। ଯଦି ଜଣେ ଉପଭୋକ୍ତା ଏହି ସୀମା ଅତିକ୍ରମ କରନ୍ତି, ତେବେ ସେମାନେ ପରବର୍ତ୍ତୀ ମାସ ପର୍ଯ୍ୟନ୍ତ ବ୍ରୋଡକାଷ୍ଟ ମେସେଜ ପଠାଇ ପାରିବେ ନାହିଁ। ମେଟା ପରାମର୍ଶ ଦେଇଛି ଯେ, ଅଧିକ ସଂଖ୍ୟକ ଲୋକଙ୍କୁ ମେସେଜ ପଠାଇବା ପାଇଁ ଉପଭୋକ୍ତା ହ୍ୱାଟସଆପ ଷ୍ଟାଟସ ବା ଚ୍ୟାନେଲ ବ୍ୟବହାର କରିପାରନ୍ତି।
ବ୍ୟବସାୟୀ ଆକାଉଣ୍ଟ ପାଇଁ ମଧ୍ୟ ପରିବର୍ତ୍ତନ
ଏତେ ଦିନ ହ୍ୱାଟସଆପ ବିଜନେସ ଆକାଉଣ୍ଟ ମାଧ୍ୟମରେ ବ୍ୟବସାୟୀମାନେ ମାଗଣା ଓ ଅସୀମିତ ବ୍ରୋଡକାଷ୍ଟ ମେସେଜ ପଠାଇ ପାରୁଥିଲେ। କିନ୍ତୁ ଏବେ ମେଟା ବିଜନେସ ଆକାଉଣ୍ଟ ପାଇଁ ମଧ୍ୟ ସୀମା ଲାଗୁ କରିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, ବ୍ୟବସାୟୀମାନେ ଅଧିକ ବ୍ରୋଡକାଷ୍ଟ ମେସେଜ ପଠାଇବା ପାଇଁ ଏକ ପେଡ୍ ଫିଚର ବ୍ୟବହାର କରିପାରିବେ, ଯେଉଁଥିରେ ଅତିରିକ୍ତ ଟୁଲ୍ସ ମଧ୍ୟ ଉପଲବ୍ଧ ହେବ। ଏହା ମେଟା ପାଇଁ ଏକ ନୂଆ ରାଜସ୍ୱ ଉତ୍ସ ହେବ ବୋଲି ଜଣାପଡ଼ିଛି।