ହିନ୍ଦୁଙ୍କ ଠାରୁ ନେଇ ମୁସଲିମ ଯାଏଁ, ଯାହାକୁ ଦେଖିଲେ ତାକୁ ବିବାହ କଲେ
3 ବର୍ଷ ମଧ୍ୟରେ 15 ରୁ ଅଧିକ ବିବାହ ଏବଂ 6 ରୁ ଅଧିକ ନିକାହ, ହିନ୍ଦୁରୁ ମୁସଲିମ, ଯାହାକୁ ଦେଖିଲେ ତାକୁ ବିବାହ କଲେ
ଉତ୍ତରପ୍ରଦେଶ: 3 ବର୍ଷ ମଧ୍ୟରେ 15 ରୁ ଅଧିକ ବିବାହ ଏବଂ 6 ରୁ ଅଧିକ ନିକାହ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ। ଏଠାରେ ପୋଲିସ ଏପରି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି।
ପୁରା ଘଟଣା କଣ? ଏହି ଗ୍ୟାଙ୍ଗ ହେଉଛି ଏକ ଲୁଟେରା ଗ୍ୟାଙ୍ଗ, ଯେଉଁଠି କନ୍ୟା ଯିଏ ମାତ୍ର ତିନି ବର୍ଷ ମଧ୍ୟରେ ସେ 15 ରୁ ଅଧିକ ବିବାହ ଏବଂ 6 ରୁ ଅଧିକ ନିକାହ କରିଛନ୍ତି। ତାଙ୍କ ଗ୍ୟାଙ୍ଗରେ ନିକାହ କରୁଥିବା ମୌଲବୀ, ବିବାହ ପରିଚାଳନା କରୁଥିବା ପଣ୍ଡିତ ସହିତ କନ୍ୟା ଦାନ ପାଇଁ କନ୍ୟାର ପିତାମାତା ମଧ୍ୟ ଅଛନ୍ତି।
ଏହି ଗ୍ୟାଙ୍ଗ ୟୁପି, ହରିୟାଣାରୁ ଆରମ୍ଭ କରି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ବରମାନଙ୍କୁ ଟାର୍ଗେଟ କରନ୍ତି।ବିବାହ ପରେ,କନ୍ୟା ବିଦା ସମୟରେ ତାଙ୍କର ଜିନିଷପତ୍ର ନେଇ ପଳାନ୍ତି ନଚେତ ବର ସହିତ ତାଙ୍କ ଶ୍ୱଶୁର ଘରକୁ ଯାଇ ରାତିରେ ସବୁ ଜିନିଷ ଧରି ଫେରାର ହୋଇଯାଆନ୍ତି।
ଏବେ ଏହିପରି ଘଟଣା ପ୍ରାୟତଃ ଘଟୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ହରିୟାଣା ଏବଂ ରାଜସ୍ଥାନରେ ଏହିପରି ଘଟଣା ଅନେକ ଥର ସାମ୍ନାକୁ ଆସିଛି। ସେହିପରି ପ୍ରୟାଗରାଜରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି।
ଧରା କିପରି ପଡିଲେ? ଏଥିରେ ରାଜସ୍ଥାନର ଅଲୱରର ଜଣେ ଯୁବକଙ୍କ ସହ ସମାନ ଘଟଣା ଘଟିଥିବାରୁ ସେ ଥାନାରେ ଯାଇ ଅଭିଯୋଗ କରିଥିଲେ। ତା ପରେ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ସମୟରେ ତାଙ୍କୁ ସୂଚନା ମିଳିଥିଲା ଯେ, ଏହି ଗ୍ୟାଙ୍ଗର ଲୋକମାନେ ପ୍ରୟାଗରାଜର ଖୁଲଦାବାଦରେ ଅଛନ୍ତି।
ସୂଚନା ଆଧାରରେ, ପୋଲିସ ଘନଶ୍ୟାମ ନଗର ରେଳ କ୍ରସିଂ ଫୁଟ ବ୍ରିଜ ନିକଟରୁ ଏକ ଯୁବତୀଙ୍କୁ ଗିରଫ କରିଥିଲା। ତାଙ୍କ ଆଧାରରେ ତାଙ୍କ ସହଯୋଗୀ ମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତ ଶ୍ରୀରାମ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲେ। ସମସ୍ତ ଯୋଜନା ସେ ହିଁ କରୁଥିଲେ।
ସେମାନଙ୍କ କହିବା ଅନୁସାରେ, ଗ୍ୟାଙ୍ଗର ଠକମାନେ ତିନୋଟି ରାଜ୍ୟରେ ଯେଉଁମାନେ ବିବାହ କରିପାରୁ ନଥିଲେ ସେପରି ଯୁବକଙ୍କୁ ଖୋଜୁଥିଲେ। ସେପରି ଯୁବକ ମିଳିବା ମାତ୍ରେ,ଏହି ଗ୍ୟାଙ୍ଗ ବିଭିନ୍ନ ଉପାୟରେ ତାଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ବିବାହ କରିବାକୁ ପ୍ରଲୋଭିତ କରୁଥିଲେ।
ତା ପରେ, ଯୁବକ ଯୁବତୀ ଦୁହେଁ ଦେଖା ଚାହାଁ ହେଉଥିଲେ ଏବଂ ଯଦି ବର ହିନ୍ଦୁ, ତେବେ ସେଥିପାଇଁ ହିନ୍ଦୁ ରୀତିନୀତିରେ ବିବାହ ଉତ୍ସବ ଆୟୋଜନ କରାଯାଉଥିଲା ଆଉ ଯଦି ବର ମୁସଲମାନ, ତେବେ ସେଥିପାଇଁ ନିକାହ ଉତ୍ସବ ଆୟୋଜନ କରାଯାଉଥିଲା।
ଏଥିରେ ଠକମାନେ ନିଜେ ପଣ୍ଡିତ କିମ୍ବା ମୌଲବୀ ହେଉଥିଲେ। ଏହିପରି ଭାବରେ, ଏହି ଗ୍ୟାଙ୍ଗ ତିନି ବର୍ଷ ମଧ୍ୟରେ 20 ରୁ ଅଧିକ ବିବାହ କରାଇ ବିବାହ ଦିନ ରାତିରେ ସବୁ ଟଙ୍କା ଅଳଙ୍କାର ନେଇ ଫେରାର ହୋଇଯାଉଥିଲେ।