ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ପରଲୋକ

ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ । ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ନିରଞ୍ଜନ ରଥ ।

କଟକ: ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ । ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ନିରଞ୍ଜନ ରଥ । ଗୁରୁବାର ରାତି 11ଟା ବେଳେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା ।

ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ କଟକ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା। କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ବେ ଗୁରୁବାର ରାତିରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସକଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସ୍ବର୍ଗତ ରଥ ଆଠଗଡ଼ର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ। ପିତା ପଣ୍ଡିତ ଚନ୍ଦ୍ରଶେଖର ରଥ ଓ ମାତା ଅନ୍ନପୂର୍ଣ୍ଣା ​ଦେବୀଙ୍କର ସେ ଥିଲେ ପଞ୍ଚମ ସନ୍ତାନ।​‌ ଆଇନ୍‌ରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍‌ଏ ପାସ୍‌ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସେ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ ।