ସୁବର୍ଣ୍ଣରେଖାରେ ବନ୍ୟା; ଗାଁ ଭିତରକୁ ପଶିଲା ପାଣି, ପ୍ରଶାସନ ଉପରେ ବର୍ଷିଲେ ଲୋକେ
ସୁବର୍ଣ୍ଣରେଖା ନଦୀରେ ବନ୍ୟା । ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳର ଲୋକ ପାଣି ଘେରରେ । 5 ଟି ପଞ୍ଚୟତରେ 20ରୁ ଅଧିକ ପରିବାର ପାଣି ଘେରରେ ଥିବା ସୂଚନା ମିଳିଛି ।
ବସ୍ତା: ସୁବର୍ଣ୍ଣରେଖା ନଦୀରେ ବନ୍ୟା । ଗାଁ ଭିତରକୁ ମାଡ଼ି ଆସିଲା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଆସିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ହଠାତ୍ ଏତେ ମାତ୍ରାରେ ପାଣି ମାଡିବାରୁ ଗାଁ ଲୋକେ ପ୍ରଶାସନ ଉପରେ ବର୍ଷିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି ।
ବନ୍ୟା ଆସିବା ନେଇ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ଖବର ପହଞ୍ଚା ଯାଇନଥିଲା, ଯେଉଁଥି ପାଇଁ ଧନ ଜୀବନକୁ କେମେତି ଏତେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବେ ତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀର ଏହା ହେଉଛି ପ୍ରଥମ ବନ୍ୟା ପାଣି, ଏହା ପ୍ରଭାବରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ପାଣି ପଶିବା ଆରମ୍ଭ କରିଛି ।
ସେପଟେ ବାଲିଆପାଳ ବ୍ଲକର 5 ଟି ପଞ୍ଚୟତରେ 20ରୁ ଅଧିକ ପରିବାର ପାଣି ଘେରରେ ଥିବା ସୂଚନା ମିଳିଛି । ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ । ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।
ସବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ । ରାଜଘାଟଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜଘଟ ଠାରେ ବିପଦ ସଙ୍କେତ 10.36 ମିଟର ଥିବା ବେଳେ 11.35 ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଭୋଗରାଇ, ବାଲିଆପାଳ ଓ ଜଳେଶ୍ବର ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତା ଉପରେ ପାଣି ଚାଲିଥିବା ବେଳେ, ଅନେକ ଗାଁ ପାଣି ଘେରରେ । ଏପଟେ ଚୌଧୁରୀକୁଦଠାରେ ନଦୀବନ୍ଧରେ ପଡ଼ିଲା ବାଲି ବସ୍ତା ।
ଝାଡ଼ଖଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ବାଲେଶ୍ବରରେ ବର୍ଷା ନଥିବା ବେଳେ ଗୁରୁବାର ମଧ୍ୟ ରାତ୍ରରେ ସୁବର୍ଣ୍ଣରେଖା ନଦୀ ଫଲିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
ପ୍ରବଳ ବର୍ଷା ପାଇଁ ଝାଡ଼ଖଣ୍ଡର ଚାନ୍ଦିଲ ବନ୍ଧର ଅନେକ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟାରେଜରୁ ହଠାତ 2 ଲକ୍ଷ 43 ହଜାର କ୍ୟୁସେକ୍ ପାଣି ଛାଡ଼ି ଦେବା ଯୋଗୁଁଣ ଏଭଳି ପରିସ୍ଥିତି ଉପୁଜିଛି।
ସେପଟେ ସୁନ୍ଦରଗଡ଼ ଭଷ୍ମା ଥାନା କୁଡ଼ାବଗା ଇବ୍ନଦୀ ଘାଟରେ ନିର୍ମାଣାଧୀନ ବନ୍ଧ (ବ୍ୟାରେଜ୍) କ୍ୟାବିନ୍ରେ ଶୋଇଥିଲେ କମ୍ପାନିର ସୁରକ୍ଷାକର୍ମୀ ଅତିଶ ପଣ୍ଡା। ରାତିରେ ହଠାତ୍ ପାଣି ମାଡ଼ି ଆସିଥିଲା। କିଛି ବୁଝିବା ପୂର୍ବରୁ ଚାରିପଟେ ପାଣି ଘେରିଗଲା। ଅତିଶ କୌଣସିମତେ କ୍ୟାବିନ୍ରୁ ବାହାରି ଆସି ନଦୀମଝି ବାଲି ଟାପୁରେ 4 ଘଣ୍ଟା ଅଟକି ରହିଲେ। ଆଖି ସାମନାରେ ପାଣିସୁଅରେ କ୍ୟାବିନ୍ ଭାସିଗଲା। ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଭରାନଈରେ ପଶି ଅତିଶଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।