ଭୁବନେଶ୍ୱର: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସୋସିଆଲ ମିଡିଆ ବ୍ଲଗର ଲବ ହାଁସଦା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି। ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ସୋଲମୀଙ୍କ ମୃତ୍ୟୁ ସମ୍ପର୍କରେ ନିଜର ବୟାନ ରଖିଛନ୍ତି। ତେବେ ସୋଲମୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଥିଲା ତାହା ସ୍ପଷ୍ଟ କରିନାହାନ୍ତି।
ଭିଡିଓରେ ଲବ କହିଛନ୍ତି, “ମୁଁ ସୋଲମୀଙ୍କୁ କୌଣସି ନିର୍ଯାତନା ଦେଇନି। ମୋ ବିଷୟରେ ସେ ସବୁ ଜାଣିଥିଲେ। ମୁଁ ଏପରି କିଛି ଭୁଲ୍ କରିନି ଯେଉଁଥି ପାଇଁ ଜଣକର ଜୀବନ ଚାଲିଯିବ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ।” କିନ୍ତୁ ସୋଲମୀ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ଲବ ହାଁସଦାଙ୍କ ନିର୍ଯାତନା ଯୋଗୁଁ ତାଙ୍କୁ ଏପରି ପଦକ୍ଷେପ ନେବାକୁ ପଡ଼ିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଲବ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି।
ଏହା ସହିତ, ଲବ ପୂର୍ବରୁ ବିବାହିତ ଥିବା ଏବଂ ପତ୍ନୀଙ୍କୁ ଛାଡ଼ିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏ ସମ୍ପର୍କରେ ଲବ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ପ୍ରଶଂସକ ଏବଂ ସାଧାରଣ ଲୋକେ ଏହି ମାମଲାରେ ସତ୍ୟ ସାମ୍ନାକୁ ଆସିବା ପାଇଁ ଦାବି କରୁଛନ୍ତି।