ଓଡ଼ିଶା ବିଜେପିକୁ ମିଳିବ ନୂଆ ଅଧ୍ୟକ୍ଷ, ମାତ୍ର ଆଉ ତିନି ଦିନରେ ଜଣା ପଡିବ ନୂଆ ମୁଖିଆଙ୍କ ନାଁ

ଭୁବନେଶ୍ୱର: ଓଡ଼ିଶା ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଜୁନ ୨୯ରୁ ଆରମ୍ଭ ହେବ ଏବଂ ଜୁଲାଇ ୧ ସୁଦ୍ଧା ସମ୍ପନ୍ନ ହେବ ବୋଲି ବାଲେଶ୍ୱର ସାଂସଦ ତଥା ଓଡ଼ିଶା ବିଜେପିର ରିଟର୍ଣ୍ଣିଂ ଅଫିସର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘୋଷଣା କରିଛନ୍ତି।

ସେହିପରି ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ପରିଷଦ (ଜାତୀୟ କାର୍ଯ୍ୟନିର୍ବାହୀ) ସଦସ୍ୟ ନିର୍ବାଚନ ପାଇଁ ମଧ୍ୟ ଜୁନ ୨୯ରୁ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିଜେପିର କେନ୍ଦ୍ରୀୟ ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣ ଓଡ଼ିଶା ବିଜେପି ଅଧ୍ୟକ୍ଷ ନିର୍ବାଚନ ପାଇଁ ସାଂସଦ ସଞ୍ଜୟ ଜୟସୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।

ବିଜେପି ପ୍ରତି ତିନି ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆୟୋଜନ କରିଥାଏ। ଗତ ବର୍ଷ ଡିସେମ୍ବରରେ ଓଡ଼ିଶାରେ ବ୍ଲକ ଓ ଜିଲ୍ଲା ୟୁନିଟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ରାଜ୍ୟରେ ବିଜେପିର ଜିଲ୍ଲା ଓ ବ୍ଲକ ଇଉନିଟଗୁଡ଼ିକରେ ନୂଆ ଅଧ୍ୟକ୍ଷମାନେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ୨୦୨୩ ମାର୍ଚ୍ଚରେ ଓଡ଼ିଶା ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ତେବେ ୨୦୨୪ ବିଧାନସଭା ନିର୍ବାଚନରେ
ସେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଆସନରୁ ପରାଜିତ ହୋଇଥିଲେ। ସାମଲ ଏହାପୂର୍ବରୁ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶା ବିଜେପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ବିଜୁ ଜନତା ଦଳ (ବିଜେଡି)କୁ ପରାସ୍ତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି।