ବାଲାଜୀ ମନ୍ଦିରରେ ଗୁଣ୍ଡାଗିରି, ଭକ୍ତଙ୍କୁ ଆଶୀର୍ବାଦ ବଦଳରେ ମିଳିଲା ଲାଠିମାଡ଼
ମନ୍ଦିର ପରିସରରେ ଗାର୍ଡଙ୍କ ଗୁଣ୍ଡାଗିରି, ବାବାଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କୁ ଲାଠିଚାର୍ଜ
ରାଜସ୍ଥାନ: ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଲାଇନ ଲାଗିଥିବାବେଳେ ସେମାନଙ୍କୁ ଆଶୀର୍ବାଦ ମିଳିବ ବଦଳରେ ମିଳିଥିଲା ଲାଠିମାଡ଼। ଏହି ଘଟଣା ପୁଣି ଅଲଗା କେଉଁ ମନ୍ଦିରର ନୁହେଁ ବରଂ ରାଜସ୍ଥାନର ପ୍ରସିଦ୍ଧ ମେହାଣ୍ଡିପୁର ବାଲାଜୀ ମନ୍ଦିରରେ।
ଆଜ୍ଞା ହଁ, ରବିବାର ଦିନ ମେହାଣ୍ଡିପୁର ବାଲାଜୀ ମନ୍ଦିରର ରକ୍ଷକମାନେ ବାବାଙ୍କ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିବା ଭକ୍ତମାନଙ୍କ ଉପରେ ଲାଠି ବର୍ଷା କରିଥିଲେ। ଏହି ଘଟଣାରେ ମହିଳା, ପୁରୁଷ ଏବଂ ପିଲାମାନଙ୍କ ସମେତ ଅନେକ ଭକ୍ତ ଆହତ ହୋଇଥିଲେ।
ସୂଚନା ଅନୁସାରେ, ରବିବାର ଦିନ ମେହାଣ୍ଡିପୁର ବାଲାଜୀରେ ଭକ୍ତଙ୍କ ଭିଡ଼ ଜମା ହୋଇଥିଲା। ସମସ୍ତ ଭକ୍ତ ଧାଡିରେ ଠିଆ ହୋଇ ନିଜ ପାଳି ଅପେକ୍ଷା କରିଥିଲେ। ତା’ପରେ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିବା ସମୟରେ, କୌଣସି କଥାକୁ ନେଇ ରକ୍ଷକ ଏବଂ ଭକ୍ତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା।
କିଛି ସମୟ ମଧ୍ୟରେ ରକ୍ଷକମାନେ ଭକ୍ତମାନଙ୍କ ଉପରେ ଲାଠି ବର୍ଷା କଲେ। ରକ୍ଷକଙ୍କ ବାଡ଼ିରେ ଅନେକ ଭକ୍ତ ଗୁରୁତର ଆହତ ହୋଇଥିଲେ। ଭକ୍ତମାନେ ଅଭିଯୋଗ କରିଛନ୍ତି ଯେ, ରକ୍ଷକମାନେ କେବଳ ସେମାନଙ୍କୁ ମାଡ଼ ମାରି ନଥିଲେ, ବରଂ ମହିଳାମାନଙ୍କ ସହିତ ଅଶାଳୀନ ବ୍ୟବହାର ମଧ୍ୟ କରିଥିଲେ।
ଏହି ଘଟଣାରେ ଜଣେ ପିଲାର ମୁଣ୍ଡ ଫାଟି ଯାଇଥିଲା ଏବଂ ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଘଟଣାର ସୂଚନା ପାଇବା ମାତ୍ରେ ମେହାନ୍ଦିପୁର ବାଲାଜୀ ଚୌକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ତିନି ଜଣ ଗାର୍ଡଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।