ଆସୁଛି ଆଉ ଏକ ଲଘୁଚାପ, 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଜୁଲାଇ 4 ରୁ 6 ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଜୁଲାଇ 4 ରୁ 6 ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଏପଟେ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଏନେଇ ସୂଚନା ରହିଛି । ଲଘୁଚାପ ଏବେ ଝାଡ଼ଖଣ୍ଡ ଦେଇ ଗତି କରୁଛି । ଯାହାର ପ୍ରଭାବରେ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି ।
ଜୁଲାଇ 6ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହିତ ମହାନଦୀ ଉପର ମୁଣ୍ଡରେ ବର୍ଷା ଅଧିକ ହେବ ବୋଲି ସୂଚନା ରହିଛି ।
ଏବେ ଜାରି ରହିଥିବା ଲଘୁଚାପ ବର୍ଷାର ପ୍ରଭାବ ଆସନ୍ତା 4 ତାରିଖ ଯାଏଁ ଦେଖିବାକୁ ମିଳିପାରେ । ଉତ୍ତର ପଶ୍ଚିମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଚି ଲଘୁଚାପ। କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା 2 ଦିନ ଉତ୍ତର ଓଡ଼ିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ ।
ସେପଟେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି ।
ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ଏସବୁ ଅଞ୍ଚଳରେ ସତର୍କ ରହିବାକୁ ଆଲର୍ଟ ଜାରି କରାଯାଇଛି ।