ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା, ଭାଇ ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ଆଜି ପବିତ୍ର ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ ।
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଏଥିପାଇଁ ଶରଧାବାଲିରେ ଅପେକ୍ଷାରତ 3 ରଥ । ମଣିମାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ । ସରିଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଏଥର ରତ୍ନବେଦୀକୁ ବାହୁଡିବେ । ଫେରିବା ବାଟରେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ବାହୁଡିବେ କାଳିଆ ସାଆନ୍ତ ।
ମହାପ୍ରଭୁଙ୍କ ଅପେକ୍ଷାରେ ରତ୍ନବେଦୀ । ଏପଟେ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଲାଣି । ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ନିଜକୁ ସାମିଲ କରିବାକୁ କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ ।
ସେପଟେ ମହାପ୍ରଭୁଙ୍କ ପାଇଁ ଆକାଶରୁ ଭକ୍ତି ପୁଷ୍ପ ଢାଳିଦେଲେ ଇନ୍ଦ୍ରଦେବ । ଲୋକାରଣ୍ୟ ଶରଧାବାଲି । ଏପଟେ ଭକ୍ତଙ୍କ ସମାଗମ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳ, ସ୍ଥଳ, ଆକାଶପଥରୁ ଅଦ୍ଭୁତପୂର୍ବ ସୁରକ୍ଷା । ସୁରକ୍ଷା ଦୃଷ୍ଟିରୁ 205 ପ୍ଲାଟୁନ ଫୋର୍ସ ମୁତୟନ । 21 ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଟ୍ରାଫିକ ଡ୍ୟୁଟିରେ 50 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ସେହିପରୀ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଭୋର ୪ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି, ରୋଷହୋମ, ୫ଟାରେ ଅବକାଶ, ୫ଟା୧୫ରେ ସୂର୍ଯ୍ୟପୂଜା, ୫ଟା୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା୪୫ ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧ଟା୩୦ ସେନାପଟା ଲାଗି ନୀତି ଚୂଡ଼ାନ୍ତ ହୋଇଛି ।
ସେହିପରି ୧୧ଟା୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨ଟା୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ଟା୩୦ରୁ ୩ଟା୩୦ ମଧ୍ୟରେ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।