ଓଡ଼ିଶା ଆସୁଛନ୍ତି ରାହୁଲ-ଖଡଗେ, ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ
ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ।
ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଯାଇଛି ।
ଆସୁଛନ୍ତି ରାହୁଲ- ଆଜି ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହେବ ।
ଏପଟେ ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ କହିଲେ କିଛି ଭୁଲ ହେବ ନାହିଁ । ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ଏତେ ବଡ଼ ସମାବେଶ ହେଉଛି ।
ରାହୁଲଙ୍କ ହୋଡିଂ- ତେବେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ଓଡ଼ିଶା କଂଗ୍ରେସ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । ସାରା ଭୁବନେଶ୍ବରରେ କଂଗ୍ରେସ ହୋଡିଂ ଛାଇଯାଇଛି । ପିସିସି ସଭାପତି କହିଛନ୍ତି ଯେ, କଂଗ୍ରେସର ଏହି ସମାବେଶ ଓଡ଼ିଶାରେ ଏକ ନୂଆ ରାଜନୀତିର ବାତାବରଣ ସୃଷ୍ଟି କରିବ ।
ରାଜ୍ୟ ସରକାରଙ୍କୁ ଭକ୍ତଙ୍କ ଟାର୍ଗେଟ- ଅନ୍ୟପଟେ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର କଂଗ୍ରେସର ଏହି ସମାବେଶକୁ ବିଫଳ କରିବାକୁ ଚେଷ୍ଟା କରୁଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଗସ୍ତ ବହୁ ଆଗରୁ ଘୋଷଣା କରାଯାଇଛି । ଏହି ସମୟରେ ଡ୍ରାଇଭର ସଂଘର ଆନ୍ଦୋଳନ ସମାବେଶକୁ ସଫଳ ନକରିବା ପାଇଁ ଷଡଯନ୍ତ୍ର ଭଳି ମନେ ହେଉଛି । ଅନ୍ୟପଟେ ସମାବେଶ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଡ୍ରାଇଭର ସଂଘକୁ ପିସିସି ସଭାପତି ନିବେଦନ କରିଛନ୍ତି ।