ସେମାନେ ମୋ ଟଙ୍କା କାଟିଦେବେ, ମୁଁ କୌଣସି ବିବାଦ ଚାହୁଁନାହିଁ… କାହିଁକି ଡରୁଛନ୍ତି ଜସପ୍ରୀତ ବୁମରା?
ଜୋରିମାନା ପାଇଁ ଡ଼ରିଗଲେ ଜସପ୍ରୀତ ବୁମରା
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଖେଳୁଛି। ଏହି ସିରିଜ୍ରେ ଡ୍ୟୁକ୍ସ ବଲ୍କୁ ନେଇ ବିବାଦ ଦେଖାଦେଇଛି। ଭାରତ ଓ ଇଂଲଣ୍ଡ ଦଳର ଖେଳାଳିଙ୍କ ସହ ପୂର୍ବତନ କ୍ରିକେଟରମାନେ ମଧ୍ୟ ଏହା ଉପରେ ବିଭିନ୍ନ ମତ ରଖିଛନ୍ତି।
ଶୁକ୍ରବାର ଲର୍ଡସ୍ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଇଂଲଣ୍ଡର ମିଡଲ୍ ଅର୍ଡରକୁ ନମାନି ନିଜର ୧୫ତମ ଟେଷ୍ଟ ୫ ୱିକେଟ୍ ହାସଲ କରିଛନ୍ତି।
ଦ୍ୱିତୀୟ ଦିନର ଖେଳରେ କେବଳ ବୁମରାଙ୍କ ବୋଲିଂ ନୁହେଁ, ଡ୍ୟୁକ୍ସ ବଲ୍ ମଧ୍ୟ ଚର୍ଚ୍ଚାରେ ରହିଛି। ମ୍ୟାଚ୍ରେ ବ୍ୟବହୃତ ଡ୍ୟୁକ୍ସ ବଲ୍ ନିଜର ଆକୃତି ହରାଇଥିଲା। ମାତ୍ର ୬୩ଟି ଆଇନସମ୍ମତ ବଲ୍ ପରେ ଭାରତକୁ ଦିଆଯାଇଥିବା ନୂଆ ବଲ୍କୁ ବଦଳାଇ ଦିଆଯାଇଥିଲା।
ଏହାପରେ ଦିଆଯାଇଥିବା ଅନ୍ୟ ବଲ୍କୁ ମଧ୍ୟ ୪୮ଟି ବଲ୍ ପରେ ବଦଳାଇବାକୁ ପଡ଼ିଥିଲା। ଏହି ଘଟଣାରେ ଅସନ୍ତୁଷ୍ଟ ଶୁଭମନ ଗିଲ୍ ଅନ୍-ଫିଲ୍ଡ ଆମ୍ପାୟାର ପଲ୍ ରିଫେଲ ଓ ଶରଫୁଦ୍ଦୌଲାଙ୍କ ସହ ତୀବ୍ର ଆଲୋଚନା କରୁଥିବା ଦେଖାଯାଇଥିଲା।
ତେବେ ବୁମରା ଏହି ବିବାଦ ଉପରେ ନିରବ ରହି କହିଛନ୍ତି, “ବଲ୍ ବଦଳାଯାଏ, ମୁଁ ଏହାକୁ ନିୟନ୍ତ୍ରଣ କରିପାରେ ନାହିଁ। ମୁଁ ମୋର ମ୍ୟାଚ୍ ଫିସ୍ ହରାଇବାକୁ ଚାହେଁ ନାହିଁ କାରଣ ମୁଁ ବହୁତ ପରିଶ୍ରମ କରୁଛି ଓ ଅନେକ ଓଭର ବୋଲିଂ କରୁଛି।
ତେଣୁ ମୁଁ କୌଣସି ବିବାଦାସ୍ପଦ ବୟାନ ଦେଇ ଜୋରିମାନା ଦେବାକୁ ଚାହେଁ ନାହିଁ। ଆମକୁ ଯେଉଁ ବଲ୍ ଦିଆଯାଇଛି, ସେହି ବଲ୍ରେ ଆମେ ବୋଲିଂ କରୁଛୁ। ଆମେ ଏହାକୁ ବଦଳାଇ ପାରିବୁ ନାହିଁ।