ଭୁବନେଶ୍ୱର,୧୨ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ସର୍ଭାଇକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଗତ ଜୁନ୍ ୨୨ରେ ନବୀନ ମୁମ୍ୱାଇ ଯାଇଥିଲେ। କୋକିଳା ବେନ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ପରେ ଡିସଚାର୍ଜ ହୋଇ ମୁମ୍ୱାଇଲେ ଥିଲେ ନବୀନ। ଆଜି ଓଡ଼ିଶା ଫେରିବା ପରେ ତାଙ୍କୁ ଦେଖା କରିବାକୁ ନବୀନ ନିବାସରେ ପ୍ରବଳ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହା ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ହେଉଥିଲା କାର୍ତ୍ତିକ ପାଣ୍ଡିଆନ ଦଳରେ ନଥିଲେ ମଧ୍ୟ ଏବେ ବି ବିଜେଡି କଥା ବୁଝାଶୁଝା କରିବା ସହ ନବୀନଙ୍କ କଥା ବୁଝୁଛନ୍ତି ତାହା ଆଜି ପ୍ରମାଣିତ ହୋଇଛି ।
ନବୀନ ନିବାସରେ ଆଜି ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି । ତାଙ୍କୁ ସାମ୍ବାଦିକମାନେ ଅନେକ ପ୍ରଶ୍ନ ପଚାରୁଥିଲେ ମଧ୍ୟ ସେ କିଛି ନ କହି ଖାଲି ସ୍ମିତ ହାସ୍ୟଟିଏ ହସି ଦେଇ ପ୍ରବେଶ କରୁଛନ୍ତି । ଭିତରେ ପାଣ୍ଡିଆନଙ୍କ ପଛେ ପଛେ ବିଜେଡିର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ବି ଦେଖିବାକୁ ମିଳିଛି । ପାଣ୍ଡିଆନ ପ୍ରତାପଙ୍କ ପିଠି ଉପରେ ହାତ ଥାପୁଡ଼େଇ କିଛି କହିଦେଇ ଚାଲିଯାଉଥିବାର ନଜର ଆସିଛନ୍ତି ।
ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିବା ପରେ ରାଜ୍ୟ ରାଜନୀତି ମହଲରେ ଜୋରଦାର୍ ଚର୍ଚ୍ଚା ଚାଲିଛି।