ଆରମ୍ଭ ହେଲାଣି ବାର୍ଡ ଫ୍ଲୁ, ଖାଁ ଖାଁଁ ଦୋକାନ..ଖାଉନାହାନ୍ତି ଚିକେନ ପ୍ରେମୀ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ମନ୍ତ୍ରୀ
ପୁରୀ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ।
ଭୁବନେଶ୍ବର: ବାର୍ଡ ଫ୍ଲୁ କଥା ଶୁଣିଲେ ମନରେ ଛନକା ପସିଯାଇଥାଏ । ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଛି । ଫଳରେ ଫାଷ୍ଟଫୁଡ ଦୋକାନରେ ଖାଁ ଖାଁ ଦେଖାଯାଉଛି ।
ଡେଲାଙ୍ଗରେ ବାର୍ଡ ଫ୍ଲୁ- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଆଙ୍କୁଲା ଗାଁରେ କୁକୁଡାଙ୍କ ଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଏହାର ପ୍ରଭାବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି । କାରଣ ପୁରୀ, ଡେଲାଙ୍ଗ, ଟାଙ୍ଗୀ, ଖୋର୍ଦ୍ଧା, କଟକ ଅଞ୍ଚଳରୁ କୁକୁଡା ଭୁବନେଶ୍ବର ଆସିଥାଏ ।
ଚିକେନ ଦୋକାନ ଖାଁ ଖାଁ- ଡେଲାଙ୍ଗ ବ୍ଲକରେ ଦୁଇଦିନରେ ପ୍ରାୟ 6755ରୁ ଅଧିକ କୁକୁଡାଙ୍କୁ ମରାଗଲାଣି । ତେବେ ଏହି ସ୍ଥିତି ଗ୍ରାହକଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ଗୋଟିଏ ପଟେ ଶ୍ରାବଣ ମାସ ପାଇଁ କୁକୁଡା ବିକ୍ରି କମ୍ ରହିଥିବା ବେଳେ ଏପଟେ ବାର୍ଡ ଫ୍ଲୁ ଦାଉ ସାଧିଛି ।
ପୂର୍ବରୁ ଭୁବନେଶ୍ବରକୁ 60ଟି କୁକୁଡା ଗାଡି ଆସୁଥିବା ବେଳେ ଏବେ ଭୁବନେଶ୍ବରକୁ ମାତ୍ର 30ଟି କୁକୁଡା ଗାଡି ଆସୁଛି । ସେତିକି ମଧ୍ୟ ବିକ୍ରି ହେଉନଥିବା କଥା ଦୋକାନୀ କହିଛନ୍ତି । ତେବେ ଭୁବନେଶ୍ବରକୁ ଡେଲାଙ୍ଗରୁ ଗାଡ଼ି ଆସୁନଥିବା କଥା କହିଛନ୍ତି ନନଭେଜ୍ ଟ୍ରେଡର୍ସ ଫେଡେରେସନର ରାଜ୍ୟ ସଭାପକି ଶେଖ୍ ମୁନ୍ତାକିମ୍ ।
ତେବେ ବାର୍ଡ ଫ୍ଲୁ ଖବର ପରେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କୁକୁଡାମାନଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି ।