ଢାକାର ଏକ କଲେଜ ଉପରେ ବାଂଲାଦେଶ ବାୟୁସେନାର ବିମାନ ଦୁର୍ଘଟଣା, 16 ଛୁଆ ସମେତ 19 ଜଣଙ୍କ ମୃତ୍ୟୁ

ବାଂଲାଦେଶର ଢାକାରେ କଲେଜ କ୍ୟାମ୍ପସ ଉପରେ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣା ଘଟଣାରେ 19 ମୃତ 160ରୁ ଅଧିକ ଆହତ ।

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବାଂଲାଦେଶର ରାଜଧାନୀ ଢାକାର ଉତ୍ତରା ଅଞ୍ଚଳର ମିଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜରେ ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୬ ଜଣ ଛାତ୍ର, ୨ ଜଣ ଶିକ୍ଷକ ଏବଂ ପାଇଲଟ୍ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଦୁର୍ଘଟଣାରେ ମୃତ ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ମହମ୍ମଦ ତୌକିର ଇସଲାମ୍ ଭାବରେ ଚିହ୍ନଟ ହୋଇଛନ୍ତି । ଦୁର୍ଘଟଣା ସମୟରେ ସେ ଏକ ନିୟମିତ ତାଲିମ ଉଡ଼ାଣରେ ଥିଲେ। ଏହି ଦୁର୍ଘଟଣାରେ ୧୬୦ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବିମାନଟି ଏଫ୍-୭ବିଜିଆଇ ଥିଲା, ଯାହା ଚୀନ୍‌ର ଜେ-୭ର ଏକ ଆଡଭାନ୍ସ ଭର୍ସନ । ଏହା ବାଂଲାଦେଶ ବାୟୁସେନା ଫ୍ଲିଟରେ ଥିବା ୧୬ଟି ବିମାନ ମଧ୍ୟରୁ ଗୋଟିଏ ଥିଲା। ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ କ୍ଲିପ୍‌ରେ, ଜଳନ୍ତା ଇଞ୍ଜିନ୍ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଦେଖାଯାଇଛି । ଅନ୍ୟ ଏକ ଭିଡିଓରେ, ଲୋକମାନେ ଭଗ୍ନାବଶେଷ ଆଡକୁ ଦୌଡ଼ି ଯାଉଥିବା ଦେଖାଯାଇଛି ।

ବଢ଼ିପାରେ ମୃତ୍ୟୁ ସଂଖ୍ୟା- ଢାକା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।  କାରଣ ବିଭିନ୍ନ ସରକାରୀ ସୂତ୍ର ମୃତକ ଏବଂ ଆହତଙ୍କ ସଂଖ୍ୟା ସମ୍ପର୍କରେ ଭିନ୍ନ ଭିନ୍ନ ସଂଖ୍ୟା ଦେଉଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅନେକ ଲୋକ ନିଜ ଆଖି ସାମ୍ନାରେ ବିମାନଟିକୁ କୋଠା ସହିତ ଧକ୍କା ହେଉଥିବାର ଦେଖିଥିଲେ।

ବାଂଲାଦେଶ ବାୟୁସେନାର ବୟାନ- ବାଂଲାଦେଶ ବାୟୁସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ F-7 BGI ତାଲିମ ବିମାନ ଅପରାହ୍ନ 1:06 ରେ ଉଡ଼ାଣ ଭରିଥିଲା ଏବଂ ଉତ୍ତରା ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦେଶର ଅଗ୍ନିଶମ ସେବା କହିଛି ଯେ ଘଟଣାସ୍ଥଳକୁ ନଅଟି ଅଗ୍ନିଶମ ୟୁନିଟ୍ ଏବଂ ଛଅଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା।