ବିଛଣାରେ ପରିସ୍ରା କରିଦେବାରୁ ଛାତ୍ରଙ୍କୁ ଗରମ ଲୁହା ରଡରେ ଚେଙ୍କି ଦେଲେ ଓ୍ୱାର୍ଡେନ୍

ଗୁରୁକୁଳରେ ପିଲାମାନଙ୍କୁ ଅକଥନୀୟ ନିର୍ଯ୍ୟାତନା।

ରାଜସ୍ଥାନ: ଗୁରୁକୁଳରେ ଛୋଟ ଛୋଟ ପିଲାଙ୍କ ଉପରେ ହେଉଛି ଅତ୍ୟାଚାର। ଶାରୀରିକ ଓ ମାନସିକ ଭାବରେ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା। ଏପରିକି ରାତିରେ ଛୋଟ ପିଲା ଯଦି ନିଦରେ ପରିସ୍ରା କରିଦେଉଛି ତାହାଲେ ତାକୁ ଦଣ୍ଡ ରୂପରେ ଦିଆଯାଉଛି ଲୁହା ରଡ୍ ଚେଙ୍କ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ବାରମେର ଜିଲ୍ଲାର ଏକ ଗୁରୁକୂଳରେ। ଯେଉଁଠାରେ ଶିଶୁ ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ହୋଇଛି ଯେ ଗୁରୁକୁଳର ୱାର୍ଡେନ ଦୁଇ ପିଲାଙ୍କୁ ବିଛଣାରେ ପରିସ୍ରା କରିଦେବାରୁ ସେମାନଙ୍କୁ ଗରମ ଲୁହା ରଡ୍ ରେ ଚେଙ୍କ ଦେଇଦେଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି।

ଗୁରୁକୁଳରେ ନିର୍ଯ୍ୟାତନା: ଏହି ଘଟଣା ଅଗଷ୍ଟ ୧୭ ତାରିଖରେ ସେଡାୱା ଅଞ୍ଚଳର ହରପାଲିଆ ଗାଁରେ ହରପାଲେଶ୍ୱର ମହାଦେବ ବିକାଶ ସେବା ସମିତି ଦ୍ୱାରା ପରିଚାଳିତ ଏକ ଗୁରୁକୁଳରେ ଘଟିଥିଲା।

୨୦୨୨ ମସିହାରୁ କାର୍ଯ୍ୟକ୍ଷମ ଏହି ଗୁରୁକୁଳରେ ଗରିବ, ଯାଯାବର ଏବଂ ଅନାଥ ପରିବାରର ପିଲାମାନେ ରହୁଛନ୍ତି। ରାତିରେ ଜଣେ ଆହତ ପିଲା ଗୁରୁକୁଳରୁ ପଳାଇ ଆସି ତାଙ୍କ ପରିବାରକୁ କଥିତ ନିର୍ଯାତନା ବିଷୟରେ କହିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

ଶରୀରରେ ପୋଡ଼ା କ୍ଷତ ଏବଂ ସେମାନେ ସମ୍ମୁଖୀନ ହୋଇଥିବା ନିର୍ଯାତନା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଗ୍ରାମବାସୀମାନେ ପ୍ରତିଷ୍ଠାନ ବାହାରେ ଏକାଠି ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ କଣ କହିଲେ: ଚୋହତାନ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଜୀବନ ଲାଲ ଖତ୍ରୀ ନିଶ୍ଚିତ କରିଛନ୍ତି ଯେ ଭରତପୁରର ବାସିନ୍ଦା ଏବଂ ଗୁରୁକୁଳର ୱାର୍ଡେନ-କମ-ଶିକ୍ଷକ ନାରାୟଣ ଗିରିଙ୍କୁ ହେପାଜତକୁ ନିଆଯାଇଛି।

“ଏକ ଭିଡିଓରେ ପିଲାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଗରମ ରଡ୍ ଦ୍ୱାରା ଚେଙ୍କ ଦିଆଯାଇଥିଲା। ଏହା ପରେ ଆମେ ନାରାୟଣ ଗିରିଙ୍କୁ ହେପାଜତକୁ ନେଇଥିଲୁ,” ବୋଲି ଖତ୍ରୀ କହିଛନ୍ତି।

ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରକାଶ ଚାନ୍ଦ ବିଷ୍ଣୋଇ କହିଛନ୍ତି ଯେ ଏକ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। “ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଆମେ ଗୁରୁକୁଳ ପରିଦର୍ଶନ କରି ପିଲାମାନଙ୍କ ବାପା ମାଆ ଏବଂ କର୍ମଚାରୀମାନଙ୍କ ସହିତ କଥା ହୋଇଥିଲୁ। ରିପୋର୍ଟ ଶୀଘ୍ର ଦାଖଲ କରାଯିବ,”।

ଅନେକ ପିଲାଙ୍କୁ ନିର୍ଯାତନା ଦିଆଯାଇଥିଲା: ପ୍ରାଥମିକ ତଦନ୍ତ ଅନୁଯାୟୀ, ରାତିରେ ଛୋଟପିଲାମାନେ ବିଛଣାରେ ଶୋଇଥିବା ସମୟରେ ଅଜାଣତରେ ପରିସ୍ରା କରିଦେଇଥିଲେ।

ସେଥିପାଇଁ ପିଲାମାନଙ୍କୁ ଓ୍ୱାର୍ଡେନ୍ ଲୁହା ରଡରେ ଚେଙ୍କି ଦେଇଥିଲେ। ଜଣେ ଅଧିକାରୀ କହିଛନ୍ତି, “ପିଲାମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ମାଡ଼ ମରାଯାଇଥିଲା ଏବଂ ଚୁପ୍ ରହିବାକୁ ଧମକ ଦିଆଯାଇଥିଲା”।