ଉଡ଼ନ୍ତା ଇଣ୍ଡିଗୋ ବିମାନରେ ପିଟିହେଲା ଏକ ବିଶାଳ ପକ୍ଷୀ, ଆଉ ତାପରେ…

ଭୟରେ ଯାତ୍ରୀ। ବିମାନରେ ପିଟିହେଲା ପକ୍ଷୀ।

ନାଗପୁର: ପୁଣି ବିମାନ ଦୁର୍ଘଟଣା। ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା ସମୟରେ ବିମାନରେ ଆସି ଧକ୍କା ହେଲା ଏକ ବିଶାଳ ପକ୍ଷୀ। ହେଲେ ଭାଗ୍ୟ ଭଲ ସଙ୍ଗେ ସଙ୍ଗେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇପାରିଲା।

ସୂଚନା ଅନୁସାରେ, ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ବିମାନ ନମ୍ୱର 6E 812 ଉଡ଼ାଣ ଭରିବା ସମୟରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା।

ଏହାପରେ ବିମାନଟିକୁ ତୁରନ୍ତ ନାଗପୁର ବିମାନବନ୍ଦରରେ ଅବତରଣ କରାଯାଇଥିଲା।  ଯାହାଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଯାଇପାରିଲା।

ଏନେଇ ଇଣ୍ଡିଗୋର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ୱର ୨ ତାରିଖ ଅର୍ଥାତ୍ ଆଜି ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ବିମାନ 6E 812 ଉଡ଼ାଣ ଭରିବାର କିଛି ସମୟ ପରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା।

ଏହାପରେ ଦୁର୍ଘଟଣା ଏଡ଼ାଇବାକୁ ପାଇଲଟମାନେ ତୁରନ୍ତ ବିମାନକୁ ଲ୍ୟାଣ୍ଡି କରାଇବାକୁ ନିଷ୍ପତ୍ତି ନେଇଥିଲେ।  ଏବଂ ବିମାନଟି ନାଗପୁର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ବିମାନର ଆବଶ୍ୟକୀୟ ଯାଞ୍ଚ ପାଇଁ ଆଜି ଉଡ଼ାଣ ବାତିଲ୍ କରାଯାଇଛି।

ରବିବାର ମଧ୍ୟ ଘଟିଥାନ୍ତା ଅଘଟଣ: ଯଦି ଦେଖିବା ରବିବାର ଦିନ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପାଇଲଟ୍ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ।

ତେଣୁ ଇନ୍ଦୋର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ଫେରି ଆସିଥିଲା ​​ବୋଲି ଏୟାରଲାଇନ୍ସ କହିଛି। ସୂତ୍ର ଅନୁଯାୟୀ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିବା ପୂର୍ବରୁ ବିମାନଟି ୩୦ ମିନିଟ୍ ରୁ ଅଧିକ ସମୟ ପାଇଁ ଆକାଶରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା।

ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ A30 ନିଓ ବିମାନର ଗୋଟିଏ ଇଞ୍ଜିନ ଉଡ଼ାଣ ଭରିବା ପରେ ବନ୍ଦ ହୋଇଯାଇଥିଲା। ତେଣୁ ଦୁର୍ଘଟଣାର ଆଶଙ୍କା ଥିବାରୁ ପାଇଲଟମାନେ ବିମାନଟିକୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।