ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି ଭୟଙ୍କର ବାତ୍ୟା, ସତର୍କ ରହିବାକୁ ପାଣିପାଗ ବିଭାଗର ଚେତାବନୀ
ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।
ଭୁବନେଶ୍ବର: ‘ଲା-ନିନା’ ପ୍ରଭାବରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ ! ଅକ୍ଟୋବର ଆସିଲେ ଓଡ଼ିଶାକୁ ପଡେ ବାତ୍ୟା ଚିନ୍ତା । ଆଉ ଏହି ଭୟ ଭିତରେ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟକୁ ନେଇ ଚର୍ଚ୍ଚା ବଢିଛି ।
ଯେଉଁଥିରେ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ଲା-ନିନା ସକ୍ରିୟ ହେବା ନେଇ ସୂଚନା ଦେଇଛି ‘ବିଶ୍ୱ ପାଣିପାଗ ସଂସ୍ଥା’ । ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ହେବା ଦ୍ୱାରା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇଥାଏ । ଯେଉଁଥିପାଇଁ ଅକ୍ଟୋବରରେ ରାଜ୍ୟକୁ ବାତ୍ୟା ଆସିବା ନେଇ ଆଶଙ୍କା ବୃଦ୍ଧି ପାଇଛି ।
୧୭ ତାରିଖ ପର୍ଯ୍ୟନ୍ତ ବର୍ଷା
ବର୍ତ୍ତମାନ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।
ଏହା ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡ଼ିଶା ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଛତିଶଗଡ଼ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ୧୭ ତାରିଖ ଯାଏଁ ବର୍ଷା ଲାଗି ରହିବ ସହ ଆସନ୍ତା ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
ଆଜି ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ସାରା ରାଜ୍ୟକୁ ବଜ୍ରପାତ ସହ ଝଟକା ପବନ 30-40 କିମି ବେଗରେ ବହିବାର ସମ୍ଭାବନା ରହିଛି ।
ଅକ୍ଟୋବର ବାତ୍ୟା
୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟା ହେଉ ଅବା ୨୦୧୩ରେ ବାତ୍ୟା ଫାଇଲିନ । ଲା-ନିନା ପ୍ରଭାବରେ ଏକାଧିକ ବଡ଼ ବାତ୍ୟାକୁ ଅକ୍ଟୋବର ମାସରେ ସମ୍ମୁଖୀନ କରିଛି ଓଡ଼ିଶା । ଦେଶରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ।
ଆସନ୍ତା ଅକ୍ଟୋବରରୁ ଡ଼ିସେମ୍ବର ମଧ୍ୟରେ ନେଗେଟିଭ୍ ଆଇଓଡି ଓ ଲା-ନିନା ସକ୍ରିୟ ହେବା ନେଇ ସୂଚନା ଦେଇଛି ବିଶ୍ୱ ପାଣିପାଗ ସଂସ୍ଥା । ଯାହାକି ବାତ୍ୟା ସୃଷ୍ଟି ପାଇଁ ପରିବେଶକୁ ଅନୁକୂଳ କରିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ବିଶେଷ କରି ଲା-ନିନା ସକ୍ରିୟତା ସହ ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଇଥାଏ । ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ଅକ୍ଟୋବରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଉଚ୍ଚ ଆର୍ଦ୍ରତା, ବାୟୁପ୍ରବାହ ତାରତମ୍ୟ ଓ ଉଚ୍ଚ ସମୁଦ୍ରପୃଷ୍ଠ ତାପମାତ୍ରା ଆଦି ଯୋଗୁଁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହୋଇଥାଏ । ଏହା ସହିତ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ ।
Warnings over the State.
Day-1 to Day-3 : Heavy Rainfall, Thunderstorm/Lightning & Gusty Surface Wind warning.
Day-4 & Day-5 : Thunderstorm/Lightning & Gusty Surface Wind warning.
Day-6 & Day-7 : No warning.#thunderstorm #Odisha #heavyrain #WeatherUpdate pic.twitter.com/EVT4v17z6E— Meteorological Centre, Bhubaneswar (@mcbbsr) September 13, 2025