ନରେନ୍ଦ୍ର ମୋଦିଙ୍କୁ କାହିଁକି ଫୋନ୍ କଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି, କ’ଣ କହିଲେ…
କାର୍କି ଏବଂ ମୋଦିଙ୍କ କଥାବାର୍ତ୍ତା।
ନୂଆଦିଲ୍ଲୀ: ନିକଟରେ ନେପାଳରେ ଦେଖା ଦେଇଥିବା ହିଂସା ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଆଉ ଛାତ୍ରମାନଙ୍କର ଏହି ବିକ୍ଷୋଭ ଦେଶର ସରକାରକୁ ବଦଳାଇ ଦେଲା। ଆଉ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁଶୀଳା କାର୍କି।
ଆଉ ଦାୟିତ୍ୱ ନେବା ପରେ ସୁଶୀଳା କାର୍କି କାଳେ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଛନ୍ତି। ଆଉ ମୋଦି ମଧ୍ୟ ତାଙ୍କ ଫୋନ୍ ଉଠାଇ କଥା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ମୋଦିଙ୍କୁ କାର୍କି କାହିକି ଫୋନ୍ କରିଥିଲେ ଆଉ ତାଙ୍କ ସହ କେଉଁ ବିଷୟରେ କଥା ହେଲେ ଆସନ୍ତୁ ଜାଣିବା।
ମୋଦିଙ୍କୁ ଫୋନ୍ କଲେ କାର୍କି: ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ଏହି ସମୟରେ ମୋଦି କାର୍କିଙ୍କ ସହ କଥା ହେବା ବେଳେ ସାମ୍ପ୍ରତିକ ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଥିଲେ। ସେ ନେପାଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ଅକୁଣ୍ଠ ସମର୍ଥନ ଥିବା କଥା କହିଥିଲେ।
ଏହାସହ ମୋଦି ନେପାଳର ଜାତୀୟ ଦିବସ ଅବସରରେ ସୁଶୀଳା କାର୍କି ଏବଂ ନେପାଳର ଜନସାଧାରଣଙ୍କୁ ତାଙ୍କର ଶୁଭକାମନା ମଧ୍ୟ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ପୂର୍ବରୁ X ରେ ପୋଷ୍ଟ କରି ନେପାଳର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବରେ ସୁଶୀଳା କାର୍କିଙ୍କୁ ଅଭିନନ୍ଦନ ଜଣାଇଥିଲେ।
‘ମହିଳା ସଶକ୍ତିକରଣର ଏକ ଉଦାହରଣ’: ଗତ ଶନିବାର ମଣିପୁରର ରାଜଧାନୀ ଇମ୍ଫାଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଶୀଳା କାର୍କିଙ୍କ ନିଯୁକ୍ତିକୁ “ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ” ଭାବରେ ବର୍ଣ୍ଣନା କରିଥିଲେ।
ସେ କହିଥିଲେ ଯେ ଭାରତ ଏବଂ ନେପାଳ ହେଉଛି ସହଭାଗୀ ଇତିହାସ, ବିଶ୍ୱାସ ଏବଂ ସାଂସ୍କୃତିକ ସମ୍ପର୍କ ଦ୍ୱାରା ଆବଦ୍ଧ ଘନିଷ୍ଠ ବନ୍ଧୁ।
ମୋଦି ଜୋର ଦେଇ କହିଥିଲେ, “୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ, ମୁଁ କାର୍କିଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ନିଶ୍ଚିତ ଯେ ସେ ନେପାଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ପଥ ପ୍ରଶସ୍ତ କରିବେ।”
ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଗତ ସପ୍ତାହରେ ଦେଶର ପ୍ରଥମ ମହିଳା ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଥିଲେ। କାର୍କିଙ୍କ ନିଯୁକ୍ତି ବିକ୍ଷୋଭର ଅନ୍ତ ଘଟାଇଲା।
ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା।
ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ, ଉଚ୍ଚ ସାମରିକ ଅଧିକାରୀ ଏବଂ ଯୁବ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏକ ବୈଠକ ପରେ କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଥିଲା।