fbpx

ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚିଠି

ସମ୍ବଲପୁର,୨୧ ।୪ (ଓଡିଶା ଭାସ୍କର): ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ନାମକ ଜଣେ ଠିକା କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ପଠାଇଥଲେ ଏହି ଚିଠିରେ ସେ ବର୍ତ୍ତମାନର କୁଳପତି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଥିବା ନେଇ ସେ ଆତ୍ମହତ୍ୟା କରୁଥିବା ଲେଖିଛନ୍ତି ଏହା ସହ ଆତ୍ମହତ୍ୟା ପାଇଁ କୁଳପତି ସଞ୍ଜୀବ ମିତ୍ତଲ ଏବଂ ପିଇଓ ଅବିନାଶ କରଙ୍କୁ ଦାୟୀ କରିଛନ୍ତି ।

ସେ ଚିଠିରେ ଲେଖିଛନ୍ତି “କୁଳପତି ମତେ ୧୫ ତାରିଖ ଦିନ ନିଜ କ୍ୟାବିନକୁ ଡାକି, ପ୍ରଶାସନ ବିଭାଗ ସମ୍ମୁଖ ଜଙ୍ଗଲରୁ କାଠ କଟାଯାଇ ଏହାକୁ ଜଳାଯାଉଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ମିଥ୍ୟା ଅଭିଯୋଗରେ ଗାଳି ଗୁଲଜ କରିଥିଲେ, ଏବଂ ଏହା ପରେ ୧୬ ତାରିଖ ଦିନ ହଷ୍ଟେଲରୁ ପିଇଓ ଅବିନାଶ କର ଏକ ୱାଟର ପିୟୁୂରିଫାୟର ଏବଂ ଦୁଇଟି ଲୁହା ବେଞ୍ଚ ଟ୍ରକ ଡାଲା ରେ ନେବାର ପ୍ରମାଣ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦେଇଥିଲେ ଏବଂ କୁଳପତିଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଇଥିଲେ । ସେ ମଧ୍ୟ ଆଶ୍ୱାସନା ଦେଇଥିଲେ ଏହା ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ସେ ସେହି ଅବିନାଶ କରଙ୍କୁ  ଫୋନ କରିଥିଲେ  ଯେ ଏହି ଘଟଣା ସହିତ ଜଡିତ ଥିଲେ, ଏବଂ ସେ କବାଡିବାଲା ସହିତ ଚୋରି ହୋଇଥିବା ଜିନିଷକୁ ହଷ୍ଟେଲରେ ରଖିଦେଇଥିଲେ ।”

“ଆଜି ଛୁଟିଦିନ ଥିଲେ କୁଳପତି ମତେ  ଫୋନ କରିଥିଲେ ଏବଂ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଇଥିଲେ । ପରେ ଯେତେବେଳେ ମୁଁ ତାଙ୍କ ଅଫିସକୁ ଗଲି ସେ ମତେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମତେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଇଥିଲେ ।’

“ ସାର, ହଷ୍ଟେଲରେ ଚୋରି ହୋଇଥିବା ଅଭିଯୋଗ କରିବା କ’ଣ ଭୁଲ ? ଏବଂ ୟୁନିଭରସିଟିରେ ହେଉଥିବା ଅବହେଳା ବିଷୟରେ ଜଣାଇବା କ’ଣ ଭୁଲ? ମୁୁଁ ୟୁନିଭରସିଟିରେ ଅଳ୍ପ ଦରମାରେ ଠିକା କର୍ମଚାରୀ ଭାବରେ କାମ କରୁଛି ପରିବାର ଚଳାଇବା ପାଇଁ ଏହା ସହ  ହଷ୍ଟେଲରେ ପାର୍ଟ ଟାଇମ କାମ ମଧ୍ୟ କରୁଛି  । ଏହା ଛଡା କୁଳପତି ଅନ୍ୟ କର୍ମଚାରମାନଙ୍କୁ ମଧ୍ୟ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ।”

“ତେଣୁ ଏଭଳି ସ୍ଥିତିରେ ମୋ ପାଇଁ ଏଭଳି  ଅପବ୍ୟବହାର ସହିବା ସମ୍ଭବ ନୁହେଁ, ଯଦି କୁଳପତି ସବୁ କର୍ମଚାରୀଙ୍କ ସାମ୍ନାରେ ମତେ କ୍ଷମା ନମାଗନ୍ତି ତେବେ ମୁଁ ଆତ୍ମହତ୍ୟା କରିବି । ଆତ୍ମହତ୍ୟା ପାଇଁ କୁଳପତି ସଞ୍ଜୀବ ମିତ୍ତଲ ଏବଂ ପିଇଓ ଅବିନାଶ କର ଦାୟୀ ରହିବେ ।”

ସେପଟେ ଆଜି ପରିବାର ଲୋକ ଏବଂ ଅସ୍ଥାୟୀ କର୍ମଚାରୀ ଆଡମିନିଷ୍ଟ୍ରେଟିଭ ଅଫିସ ସମ୍ମୁଖରେ ମୃତ ଦେହ ରଖି  ଧାରଣାରେ ବସିଛନ୍ତି । ମୃତକଙ୍କ ପରିବାରର ଜଣକୁ ଚାକିରି ବକେୟା ଦୁଇ ମାସର ଦରମା ଦାବି କରିଛନ୍ତି ।

Get real time updates directly on you device, subscribe now.