fbpx

୯୦ ଟ୍ରେନ୍ ହେଲା ବାତିଲ୍, ବିମାନସେବା ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼-ବାତ୍ୟା ‘ୟଶ୍’ ମାଡ଼ି ଆସୁଛି । ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଏହି ଅତି ଭୀଷଣ ବାତ୍ୟା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହାର ଅସଲ ରୂପ ଦେଖାଇବ । ସ୍ଥଳଭାଗ ଛୁଇଁଲାବେଳକୁ ପ୍ରାୟ ୧୮୫ କିମି ବେଗରେ ବୋହିପାରେ ପବନ । ଏହାକୁ ଦୃଷ୍ଟିରେ ରଖି ସବୁଦିଗରୁ ସତର୍କ ହୋଇଛନ୍ତି ସରକାର । ସେହିପରି ଭାରତୀୟ ରେଳ ବିଭାଗ ପକ୍ଷରୁ ୯୦ଟି ଟ୍ରେନକୁ ବାତିଲ୍ କରି ଦିଆଯାଇଛି । ଅନ୍ୟପକ୍ଷରେ ବିମାନସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଆରବ ସାଗରରେ ନିକଟରେ ତଉକ୍ତେ ବାତ୍ୟା ସୃଷ୍ଟି ହୋଇ ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟକୁ ବିଶେଷ ପ୍ରଭାବିତ କରିବା ପରେ ପରେ ବାତ୍ୟା ୟଶ୍ ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଛି । ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପଶ୍ଚିମବଙ୍ଗ ଓ ଓଡ଼ିଶାର ସମୁଦ୍ରକୂଳିଆ ଅଞ୍ଚଳରେ ବାତ୍ୟାର ପ୍ରଭାବ ଖୁବ୍ ଅଧିକ ରହିବ ଏବଂ ପ୍ରବଳ ବର୍ଷା ହେବ । ତେଣୁ ସତର୍କ ରହିବାକୁ କୁହାଯାଇଛି ।

ଏଭଳି ସ୍ଥିତିରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଖାଲି ସେତିକି ନୁହେଁ, ୪୦ରୁ ୫୦ କିମି ବେଗରେ ପବନ ବୋହୁଛି । ସମ୍ପୃକ୍ତ ୩ ରାଜ୍ୟ ବ୍ୟତୀୟ ଆନ୍ଧ୍ର ପ୍ରଦେଶ ଓ ଆଣ୍ଡାମାନରେ ମଧ୍ୟ ବାତ୍ୟାର ପ୍ରଭାବ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗତ ୧୬ ଓ ୧୭ ତାରିଖ ବେଳକୁ ବାତ୍ୟ ତଉକ୍ତେ ଗୁଜରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଥିବାବେଳେ ଦେଶର ଅନ୍ୟ ପ୍ରାନ୍ତରେ ବର୍ତ୍ତମାନ ବାତ୍ୟା ୟଶ୍ ଏହାର ଶକ୍ତି ବିସ୍ତାର କରିଚାଲିଛି । ତଉକ୍ତେରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ହଜାରରୁ ଅଧିକ ପରିବାର ବାସହରା ହୋଇଯାଇଛନ୍ତି ।

ତେଣୁ ଏଭଳି ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପଶ୍ଚିମବଙ୍ଗ ଓ ଓଡ଼ିଶା ରୁଟରେ ଚାଲୁଥିବା ୯୦ ଟ୍ରେନକୁ  ବାତିଲ୍ କରିଦେଇଛନ୍ତି । ଉତ୍ତର ରେଳପଥ ଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ଯାତାୟାତ କରୁଥିବା ଏକ ଡଜନରୁ ଅଧିକ ଟ୍ରେନକୁ ବାତିଲ କରିଥିବାବେଳେ ଦକ୍ଷିଣ ରେଳପଥ ପକ୍ଷରୁ ମଧ୍ୟ ଅନେକ ଟ୍ରେନ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏହାପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ଗତ ରବିବାର ୨୯ ତାରିଖ ପର୍ଯ୍ୟନ୍ତ ୨୫ ଟ୍ରେନ୍ ବାତିଲ୍ କରିସାରିଥିଲା ।

Get real time updates directly on you device, subscribe now.