fbpx

ନରଦା ଷ୍ଟିଙ୍ଗ୍‌ ଅପରେସନ ମାମଲା: ଟିଏମ୍‌ସିର ୪ ଜଣ ହେଭିୱେଟ୍ ନେତାଙ୍କ ଅନ୍ତରୀଣ ଜାମିନ୍ ମଞ୍ଜୁର କଲେ କୋଲକାତା ହାଇକୋର୍ଟ

କୋଲକାତା (ଓଡ଼ିଶା ଭାସ୍କର) : ନରଦା କାଣ୍ଡରେ ଗିରଫ ୪ ତୃଣମୂଳ କଂଗ୍ରେସ ନେତାଙ୍କୁ କୋଲକାତା ହାଇକୋର୍ଟ ଶୁକ୍ରବାର ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି ।
ହାଇକୋର୍ଟଙ୍କ କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ, ଜଷ୍ଟିସ୍‌ ଆଇ.ପି.ମୁଖାର୍ଜୀ, ଜଷ୍ଟିସ୍‌ ହରିଶ ଟଣ୍ଡନ, ଜଷ୍ଟିସ୍‌ ସୋମେନ୍‌ ସେନ୍‌ ଓ ଜଷ୍ଟିସ୍‌ ଅରିଜିତ ବାନାର୍ଜୀଙ୍କ ୫ ଜଣିଆ ଖଣ୍ଡପୀଠ ତୃଣମୂଳ ନେତାଙ୍କ ଦ୍ୱାରା କୋର୍ଟଙ୍କ ରହିତାଦେଶ ବିରୋଧରେ ଆଗତ ରିକଲ ପିଟିସନର ଶୁଣାଣି କରିବା ଅବସରରେ ଜାମିନ ପ୍ରଦାନ କରିଛନ୍ତି ।

ମାମଲାରେ ସିବିଆଇ ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳର ୨ ଜଣ ମନ୍ତ୍ରୀ ଫିରହଦ ହକିମ୍‌, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଓ ପାର୍ଟିର ପୂର୍ବତନ ନେତା ଶୋଭନ ଚାଟାର୍ଜୀଙ୍କୁ ମେ ୧୭ ତାରିଖ ଦିନ ଗିରଫ କରିଥିଲା । ଗରିଫଦାରୀର ଦିନକ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଥିଲେ । ତେବେ କୋର୍ଟଙ୍କ ଦ୍ୱାରା ମଞ୍ଜୁର ଜାମିନ ଉପରେ ସେହିଦିନ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚ ରହିତାଦେଶ ଜାରି କରିଥିଲେ । ୨୧ ମେ ବିଳମ୍ବିତ ରାତ୍ରିରେ ଜାରି ଏହି ରହିତାଦେଶରେ ନେତାମାନଙ୍କୁ ଗୃହବନ୍ଦୀ ରଖିବା ଲାଗି ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ଏହି ରହିତାଦେଶ ବିରୋଧରେ ୪ ନେତା ଆବେଦନ କରିଥିବା ବେଳେ ଏହି ଶୁଣାଣି ସପ୍ତାହେ ବା ଅଧିକ ସମୟ ଲାଗିପାରେ ବୋଲି ଖଣ୍ଡପୀଠ କହିବା ସହ ସେମାନଙ୍କୁ ପ୍ରଥମେ ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି ।

ସୂଚନା ଥାଉ କି ୨୦୧୪ ରେ,ନାରଦା ଟିଭି ନ୍ୟୁଜ୍‌ ଚ୍ୟାନେଲର ମାଥ୍ୟୁ ସାମୁଏଲଙ୍କ ଦ୍ୱାରା ଏକ ଷ୍ଟିଙ୍ଗ୍‌ ଅପରେସନ୍‌ କରାଯାଇଥିଲା, ଯେଉଁଥିରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଲାଭ ବଦଳରେ କମ୍ପାନୀର ପ୍ରତିନିଧିଙ୍କଠାରୁ ଟଙ୍କା ନେଇଥିବାର ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗରେ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଟେପ୍‌ ସାର୍ବଜନୀନ କରାଯାଇଥିଲା । ଷ୍ଟିଙ୍ଗ ଅପରେସନ୍‌ ସଂପର୍କରେ ମାର୍ଚ୍ଚ ୨୦୧୭ରେ କଲିକତା ହାଇକୋର୍ଟ ସିବିଆଇ
ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.