fbpx

ମୃତ ବୟଫ୍ରେଣ୍ଡ ହାତରେ ନାବାଳିକାକୁ ସିନ୍ଦୁର ପିନ୍ଧାଇଲେ ପୁଅଘର ଲୋକେ

କୋଲକାତା: ପରସ୍ପରକୁ ଖୁବ ଭଲପାଉଥିଲେ ପୁଅ-ଝିଅ । ଦୁହେଁ ବିବାହ ମଧ୍ୟ କରିବାକୁ ଚାହୁଥିଲେ । ତେବେ ଏଥିରେ ରାଜି ହୋଇନଥିଲେ ଝିଅର ମା’ । ବାସ୍ ଏହି କାରଣରୁ ମର୍ମାହତ ହୋଇ ଆତ୍ମହତ୍ୟା କରିଦେଲା ପୁଅ । ଏତିକିରେ ସରିନଥିଲା କଥା । ଆତ୍ମହତ୍ୟାର ଦୋଷ ଯାଇଥିଲା ଝିଅଘର ଉପରକୁ । ପୁଅଘର ଲୋକେ ମୃତକ ହାତରେ ସିନ୍ଦୁର ନେଇ ଜୋରଜବରଦସ୍ତ ଝିଅକୁ ପିନ୍ଧାଇ ଦେଇଥିଲେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପରସ୍ପରକୁ ଭଲ ପାଉଥିବା ପୁଅ-ଝିଅ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ଝିଅର ବୟସ ହୋଇନଥିବା ଯୋଗୁଁ ବିବାହ ହୋଇପାରିବ ନାହିଁ ବୋଲି କାରଣ ଦର୍ଶାଇଥିଲେ ଝିଅର ମା’ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା । ଏଭଳି ସ୍ଥିତିରେ ନାବାଳକ ଜଣକ ଆତ୍ମହତ୍ୟା କରିଦେଇଥିଲେ । କିନ୍ତୁ ହଠାତ୍ ଏଭଳି ଅଭାବନୀୟ ଘଟଣାରେ ଦେଖିବାକୁ ମିଳିଥିଲା ନୂଆ ମୋଡ଼ ।

ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରିଥିଲା ପୋଲିସ୍ । ଆଉ ପୁଅର ମୃତଦେହ ନେଇ ପରିବାର ଲୋକ ଏବଂ ତାଙ୍କ ସମର୍ଥକ ଯାଇଥିଲେ ଝିଅ ଘରକୁ । ସେମାନେ ଅଭିଯୋଗ କରିଥିଲେ ଯେ ଝିଅ ଏହି ଆତ୍ମହତ୍ୟା ବିଷୟରେ ଜାଣିଥିଲା ଓ ତାଙ୍କ ପୁଅକୁ ବଞ୍ଚାଇବାକୁ କିଛି ବି କରିନଥିଲା । ଏଥିସହ ମରିବା ପୂର୍ବରୁ ଝିଅ ନିକଟକୁ ପୁଅ କିଛି ଫଟୋ ମେସେଜ୍ କରିଥିବା ମଧ୍ୟ ସେମାନେ କହିଥିଲେ । ବାସ୍, ଏହାପରେ ନାବାଳିକା ଜଣଙ୍କୁ ଦିଆଯାଇଥିଲା ନିର୍ଯାତନା । ଆଉ ମୃତ ପୁଅର ହାତରେ ସିନ୍ଦୁର ଲଗାଇ ଜବରଦସ୍ତ ଝିଅର ମଥାରେ ଲଗାଇ ଦେଇଥିଲେ ପୁଅପକ୍ଷ ଲୋକ । ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି ।

ଉପଦ୍ରବକାରୀଙ୍କ ଦ୍ୱାରା ନିର୍ଯାତନା ଦିଆଯିବା ଏବଂ ମୃତକ ହାତରେ ସିନ୍ଦୁର ପିନ୍ଧାଇବା ନେଇ ଝିଅର ମା’ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.