fbpx

ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍‌ରେ ସାମିଲ ହେଲେ ନାହିଁ ସେରମ୍‌ ଓ ଭାରତ ବାୟୋଟେକ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍‌ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର  ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି ।

ମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟର ଟିକା ଆବଶ୍ୟକତା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନାହାଁନ୍ତି କରୋନା ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନି ଟିକା
ଯୋଗାଇ ପାରୁନାହାଁନ୍ତି । ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନୀଠାରୁ ଟିକା କିଣିବାକୁ ଚାହୁଁଛନ୍ତି । ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଳୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନାହାଁନ୍ତି ।

ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ଏହି କମ୍ପାନୀଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ । ରାଜ୍ୟ ସରକାର ସମସ୍ତଖର୍ଚ୍ଚ ବହନ କରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।

Get real time updates directly on you device, subscribe now.