fbpx

ଗୁଗଲ୍ ସର୍ଚ୍ଚରେ କନ୍ନଡ ‘ସବୁଠୁ କଦର୍ଯ୍ୟ ଭାଷା’, ତେଜିଲା ବିବାଦ

ବେଙ୍ଗାଲୁରୁ(ଓଡ଼ିଶା ଭାସ୍କର): ଭାରତର ସବୁଠୁ କଦର୍ଯ୍ୟ ଭାଷା କଣ? ଏହାର ଉତ୍ତରରେ ଗୁଗଲ୍ କହୁଥିଲା ‘କନ୍ନଡ଼’ । ସେଇଠୁ ଆରମ୍ଭ ହେଲା ବିବାଦ । ସାରା କର୍ଣ୍ଣାଟକରୁ ଗୁଗଲ୍ ବିରୋଧରେ ଶୁଭିଲା ଗର୍ଜନ । ବିଶ୍ୱର ଏହି ପ୍ରମୁଖ ସର୍ଚ୍ଚ ଇଞ୍ଜିନ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କର୍ଣ୍ଣାଟକର କୋଣ ଅନୁକୋଣରୁ ଦାବି ତେଜିବାରେ ଲାଗିଛି । ଇତିମଧ୍ୟରେ ସମ୍ପୃକ୍ତ ରାଜ୍ୟ ସରକାର କହିଛନ୍ତି ଯେ ଗୁଗଲ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କନ୍ନଡକୁ କଦର୍ଯ୍ୟ ଭାଷା ବୋଲି ସ୍ଥାନିତ କରିବା ପରେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ଇତିମଧ୍ୟରେ ଗୁଗଲ୍ ପକ୍ଷରୁ ଏହି ଫିଡ୍ ପ୍ରତ୍ୟାହାର କରିନିଆଯାଇଛି ଏବଂ କ୍ଷମା ପ୍ରାର୍ଥନା କରିଛି । ଗୁଗଲ୍ ପକ୍ଷରୁ କୁହାଯାଇଛି ଯେ ସର୍ଚ୍ଚ ରିଜଲ୍ଟ ଗୁଗଲର ମତ ବୋଲି ଧରାନଯାଉ । ଅନ୍ୟପକ୍ଷରେ କର୍ଣ୍ଣାଟକର ସଂସ୍କୃତି ଓ ଜଙ୍ଗଲ ମନ୍ତ୍ରୀ ଅରବିନ୍ଦ ଲିମ୍ବାୱାଲି କହିଛନ୍ତି ଯେ ଗୁଗଲ୍ କୁ ଲିଗାଲ୍ ନୋଟସି ପଠାଯିବ । ଏଥିସହ ମନ୍ତ୍ରୀ ଦୁଇଟି ଟ୍ୱିଟ୍ କରିଛନ୍ତି। କନ୍ନଡକୁ କଦର୍ଯ୍ୟ ଭାବେ ଦେଖାଉଥିôବା ଗୁଗଲ୍ ତୁରନ୍ତ କ୍ଷମା ମାଗୁ ବୋଲି ସେ ଦାବି କରିବା ସହ କର୍ଣ୍ଣାଟକବାସୀଙ୍କୁ ଏଭଳି ଆଘାତ ପହଞ୍ଚାଇବା ମହଙ୍ଗା ପଡ଼ିବ ବୋଲି କହିଛନ୍ତି । ଏଥିସହ ସେ ଉଲ୍ଲେଖ କରିଛନ୍ତି ଯେ କନ୍ନଡ ଭାଷାର ନିଜସ୍ୱ ଇତିହାସ ରହିଛି ଏବଂ ୨,୫୦୦ ବର୍ଷ ପୁରାତନ ଏହି ଭାଷା ବେଶ୍ ଉନ୍ନତ ଓ ସମୃଦ୍ଧ ।

କନ୍ନଡକୁ ନୀଚ୍ଚ ଭାବେ ଦର୍ଶାଇବା କର୍ଣ୍ଣାଟକବାସୀଙ୍କୁ କେବଳ ଅସମ୍ମାନ ଓ ଅପମାନିତ କରିବା ଗୁଗଲ୍ ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଲିମ୍ବାୱାଲି ଟ୍ୱିଟ୍ କରିବା ସହ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.