fbpx

ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ବଡ ହସ୍ତୀ, ଏହି କଂଗ୍ରେସ ନେତାଙ୍କୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାର୍ଟିକୁ ଲାଗିପାରେ ବଡ ଝଟକା । ବିଜେପି ସାଂସଦ ତଥା ମୁଖପାତ୍ର ଅନିଲ ବଲୁନି ବୁଧବାର ଟ୍ୱିଟ୍ କରି ଜାତୀୟ ରାଜନୀତିରେ ଚହଳ ପକାଇଛନ୍ତି । ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ଆଜି କୌଣସି ବଡ ନେତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହା ପରେ ଜାତୀୟସ୍ତର ରାଜନୀତିରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, କଂଗ୍ରେସର କୌଣସି ବଡ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । କାରଣ କଂଗ୍ରେସର ଅନେକ ବଡ ବଡ ନେତା ପାର୍ଟି ହାଇକମାଣ୍ଡ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ଏଥିରୁ କିଛି ନାମ ରହିଛି, ଯିଏ ପଦ୍ମ ଧରିବା ନେଇ ଚର୍ଚ୍ଚାରେ ଅଛନ୍ତି ।

ଆସନ୍ତା ବର୍ଷ ଉତର ପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ସବୁଠୁ ଅଧିକ ଚର୍ଚ୍ଚା କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ନାଁକୁ ନେଇ ଜାରି ରହିଛି । କିନ୍ତୁ ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଜିତିନ ପ୍ରସାଦ ପାର୍ଟି ଛାଡିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । କିନ୍ତୁ ସେ ବିଜେପିରେ ଯୋଗ ଦେଇନଥିଲେ । ୟୁପି ନିର୍ବାଚନକୁ ଦୃଷ୍ଟିରେ ରଖି ଜିିତିନ ବିଜେପିରେ ଯୋଗ ଦେବା ନେଇ ଅନୁମାନ କରାଯାଉଛି । ଜିତିନ ପ୍ରସାଦ ଧୋରହରା ଲୋକସଭା ଆସନରୁ ସାଂସଦ ରହି ସାରିଛନ୍ତି । ଏହା ବ୍ୟତୀତ ଉତର ପ୍ରଦେଶ ସରକାରରେ ସେ ମାନବ ସମ୍ବଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଥିଲେ । ହେଲେ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ।

ପାଇଲଟ୍ ଛାଡି ପାରନ୍ତି କଂଗ୍ରେସର ହାତ

ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା କାହାକୁ ଅଛପା ନୁହେଁ । ଗତ ବର୍ଷ ପାର୍ଟି ହାଇକମାଣ୍ଡ ହସ୍ତକ୍ଷେପ ପରେ ଦୁଇ ଗୋଷ୍ଠୀର ନେତାଙ୍କୁ ଶାନ୍ତ କରାଯାଇଥିଲା । ମାତ୍ର ରାଜସ୍ଥାନରେ ପୁଣି ଥରେ ପାଇଲଟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିବା ମୁଡରେ ଥିବା ଦେଖିବାକୁ ମିଳିଛି । ସଂପ୍ରତି ସଚିନ ପାଇଲଟଙ୍କ ଟ୍ୱିଟ୍ ଟ୍ରେଣ୍ଡ କରୁଛି । କିନ୍ତୁ ଗତକାଲି ସଚିନ ଟ୍ୱିଟ୍ ବିଜେପିକୁ ଟାର୍ଗେଟ୍ କରିବା ସହ ସ୍ପଷ୍ଟ କରିଥିଲ ଯେ, ସେ ବିଜେପିରେ ସାମିଲ ହେବେ ନାହିଁ । କିନ୍ତୁ ବିଜେପିର ହାଇକମାଣ୍ଡଙ୍କ ସହ ତାଙ୍କର ଭଲ ସଂପର୍କ ଥିବା କୁହାଯାଏ ।

ଗୁଲାମ ନବି ଆଜାଦ-ଆନନ୍ଦ ଶର୍ମା

ସେହିପରି ଦୀର୍ଘ ସମୟ ଧରି ବରିଷ୍ଠ ନେତା ଗୁଲାମ ନବି ଆଜାଦ ଓ ଆନନ୍ଦ ଶର୍ମା ମଧ୍ୟ କଂଗ୍ରେସର କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ଜାହିର କରି ସାରିଛନ୍ତି । ଗତ ବର୍ଷ ସୋନିଆ ଗାନ୍ଧୀଙ୍କୁ ୨୩ କଂଗ୍ରେସ ନେତା ଚିଠି ଲେଖି ପାର୍ଟିର କାର୍ଯ୍ୟଶୈଳୀ ଉପରେ ବଡ ପରିବର୍ତନ ଦାବି କରିଥିଲେ । ଏଥିରେ ଆନନ୍ଦ ଶର୍ମା ଓ ଗୁଲାମ ନବି ଆଜାଦ ମଧ୍ୟ ସାମିଲ ଥିଲେ । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରୁ କେହି ବିଜେପିରେ ଯୋଗ ଦେବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.