fbpx

ଅଜବ ପୋଲିସର ଗଜବ ତାମସା ! ପଥରମାଡରୁ ବଞ୍ଚିବା ପାଇଁ ଧରିଲେ ବାଉଁଶ ଝୁଡି ଓ ମୁଣ୍ଡରେ ପିନ୍ଧିଲେ ଷ୍ଟୁଲ୍

ଲକ୍ଷ୍ନୌ : ପଥର ମାଡରୁ ବଞ୍ଚିବା ପାଇଁ ପୋଲିସ ଅତ୍ୟାଧୁନିକ ଉପକରଣ ବ୍ୟବହାର କରୁଥିବା ଆପଣ ଦେଖିଥିବେ। କିନ୍ତୁ ଉତ୍ତର ପ୍ରଦେଶର ଉନ୍ନାଓରୁ ପୋଲିସ କର୍ମଚାରୀଙ୍କ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ପୋଲିସର ଖୁବ୍ ମଜାକ ଉଡାଉଛନ୍ତି। ପୋଲିସ କର୍ମଚାରୀ ପଥର ମାଡରୁ ବଞ୍ଚିବା ପାଇଁ ମୁଣ୍ଡରେ ଷ୍ଟୁଲ ଓ ହାତରେ ଝୁଡି ଧରିଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମର ଏହାର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମାମଲା ଉଚ୍ଚସ୍ତରରେ ପହଞ୍ଚିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ଛଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ଉନ୍ନାଓ ଜିଲ୍ଲାରେ ଗୁରୁବାର ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି  ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଭୀଷଣ ଟ୍ରାଫିକ ଜାମ ଲାଗି ରହିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ଏବଂ ରାସ୍ତା ଖୋଲିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଦେଖି ଆହୁରି ଉତ୍ତେଜିତ ହୋଇ ଉଠିଥିଲେ। ପୋଲିସ ଉପରେ ପଥରମାଡ ମଧ୍ୟ କରିଥିଲେ। ପୋଲିସ କର୍ମଚାରୀ ବାଉଁଶ ଝୁଡି ଏବଂ ପ୍ଲାଷ୍ଟିକ ଷ୍ଟୁଲ ଧରି ନିଜକୁ ବଞ୍ଚାଇବା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୋଲିସକୁ ଖୁବ୍ ଥଟ୍ଟା ପରିହାସ କରାଯାଉଛି। ଏଥିରେ ପୋଲିସର ଛବି ମଧ୍ୟ ମଳିନ ପଡିଛି। ଆଇଜି ଲକ୍ଷ୍ନୌ ରେଞ୍ଜ ଲକ୍ଷ୍ମୀ ସିଂହ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଅବହେଳା, ଅକ୍ଷମତା ଓ ବେପରୁଆ ମନୋଭାବକୁ ଦେଖି କୋତବାଲ ପୋଲିସ ଷ୍ଟେସନର ଦିନେଶ ଚନ୍ଦ୍ର ମିଶ୍ର, ମଗରବାଲା ପୋଲିସ ଷ୍ଟେସନର ଅଧିକାରୀ ଅଖିଳେଶ ଯାଦବଙ୍କ ସହିତ ଚାରି ଜଣଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

 

Get real time updates directly on you device, subscribe now.