fbpx

WTC Final: ବର୍ବାଦ ହୋଇଥିବା ଖେଳର ଭରଣା ପାଇଁ ଆଜି ଖେଳାଯିବ ଅଧିକ ଓଭର, ବଦଳିଲା ଟସ୍ ସମୟ

ସାଉଥମ୍ପଟନ : ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାର ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବାତିଲ୍  ହୋଇଛି। ଏପରିକି ଗତକାଲି ଟସ୍ ମଧ୍ୟ ହୋଇ ପାରି ନଥିଲା। ପ୍ରଶଂସକଙ୍କ ପାଇଁ ଖୁସିର ଖବର ଶନିବାର ଅର୍ଥାତ ମ୍ୟାଚର ଦ୍ଵିତୀୟ ଦିନରେ ଖେଳ ହୋଇପାରେ। ସାଉଥମ୍ପଟନ ପାଣିପାଗରେ ସୁଧାର ଆସିଛି ଏବଂ ଆଜି ୯୦ ଓଭର ପରିବର୍ତ୍ତେ ୯୮ ଓଭର ଖେଳାଯିବ। ଏଥିପାଇଁ ଟସ୍ ସମୟ ମଧ୍ୟ ବଦଳିଛି।

ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଶନିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ। ସେହି ପରି ଟସ୍ ୨ଟା୩୦ରେ ପଡିବ। ସାଉଥମ୍ପଟନରେ ଆଜି ସୂର‌୍ୟ୍ୟକିରଣ ପଡିଛି। କିନ୍ତୁ ଆଗାମୀ ତିନି ଦିନ ରବିବାର, ସୋମବାର ଓ ମଙ୍ଗଳବାର ବର୍ଷା ହେବାର ସମ୍ଭାବନା ରହିଛି। ଯଦି ମ୍ୟାଚର ରିଜର୍ଭ ଡେ ଅର୍ଥାତ ଷଷ୍ଠ ଦିନରେ କୌଣସି ଫଳାଫଳ ନବାହାରେ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷିତ କରାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ ଦଳ ପୂର୍ବରୁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଏ ପର‌୍ୟ୍ୟନ୍ତ ତାର ଏକାଦଶ ଘୋଷଣା କରି ନାହିଁ। ଭାରତ ଅଶ୍ଵିନ ଓ ଜାଡେଜା ଉଭୟଙ୍କୁ ଦଳରେ ସାମିଲ କରିଛି। ଦ୍ରୁତ ବୋଲର ଦାୟିତ୍ଵ ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ଇଶାନ୍ତ ଶର୍ମାଙ୍କ କାନ୍ଧରେ ରହିଛି। କିନ୍ତୁ ଶୁକ୍ରବାର ବର୍ଷା ହେବା ଏବଂ ଅନ୍ୟ ଦିନ ଗୁଡିକରେ ମଧ୍ୟ ବର୍ଷା  ହେବାର ପୂର୍ବାନୁମାନ ଥିବାରୁ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏହି ଧରଣର ଆଲୋଚନା ଉପରେ ବିରାମ ଲଗାଇଛନ୍ତି।

ଭାରତୀୟ ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା,  ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା।

 

Get real time updates directly on you device, subscribe now.