ମାୟାଙ୍କ ମୋହଭଙ୍ଗ: ୟୁପି ଓ ଉତ୍ତରାଖଣ୍ଡରେ ଏକାକୀ ଲଢିବ ବିଏସପି
କାନପୁର (ଓଡ଼ିଶା ଭାସ୍କର): ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କ ମୋହଭଙ୍ଗ ହୋଇଛି । ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି ବିଫଳ ହେବା ପରେ ଆଗାମୀ ନିର୍ବାଚନରେ କୌଣସି ଦଳ ସହିତ ବିଏସପି ମେଣ୍ଟ କରିବ ନାହିଁ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି । ସମାଜବାଦୀ ପାର୍ଟି ସହିତ ବର୍ତ୍ତମାନ ମାୟାବତୀଙ୍କର ଅହି ନକୁଳ ସମ୍ପର୍କ ରହିଥିବା ବେଳେ ଆସନ୍ତା ନିର୍ବାଚନରେ ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ସହିତ ମିଳିତ ଭାବରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ସମସ୍ତ ଆଲୋଚନାରେ ଯବନିକା ପକାଇଛନ୍ତି ନିଜେ ମାୟାବତୀ । ଆସନ୍ତା ଦିନ ମାନଙ୍କରେ ହେବାକୁ ଥିବା ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ନିର୍ବାଚନରେ ବିଏସପି ଏକାକୀ ଲଢିବ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି ।
ହାଇଦ୍ରାବାଦର ସାଂସଦ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମ୍ ପୂର୍ବରୁ ବିହାର ନିର୍ବାଚନରେ ସଫଳତା ହାସଲ କରିଥିବା ବେଳେ ବେଙ୍ଗଲ ବିଧାନସଭା ନିର୍ବାଚନରେ ମଧ୍ୟ ପଦାର୍ପଣ କରିଥିଲା । ଉତ୍ତର ପ୍ରଦେଶରେ ମୁସଲିମ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୬ ପ୍ରତିଶତ ରହିଥିବାରୁ ଆସନ୍ତା ୟୁପି ନିର୍ବାଚନରେ ଓୱେସୀଙ୍କ ଦଳ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡିଛି । ଏପରି ସ୍ଥିତିରେ ଉତ୍ତର ପ୍ରଦେଶ ରାଜନୀତିରେ ପଛୁଆ ହୋଇଯିବା ମାୟାବତୀ ଏବଂ ଓୱେସୀଙ୍କ ମଧ୍ୟରେ ମେଣ୍ଟ ହେବା ନେଇ କିଛି ରାଜନୈତିକ ସମୀକ୍ଷକ ଆକଳନ କରିଥିଲେ । ତେବେ ରବିବାର ମାୟାବତୀ ଟ୍ୱିଟ୍ କରି ଏହାକୁ ଖଣ୍ଡନ କରିଛନ୍ତି । ଏହା ସହିତ କେବଳ ପଞ୍ଜାବ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଦଳ ମେଣ୍ଟ କରିବ ନାହିଁ ବୋଲି ମାୟା ସ୍ପଷ୍ଟ କରିଛନ୍ତି । ଏ ସକ୍ରାନ୍ତ ମିଥ୍ୟା ଖବର ପ୍ରସାରଣରୁ ମିଡିଆ ବିରତ ରହିବା ଉଚିତ୍ ବୋଲି କହିଛନ୍ତି ମାୟାବତୀ ।