୮୮ ବର୍ଷରୁ ଦୀୱାନ୍ ପରିବାରର ୪ ପିଢ଼ି କରୁଛନ୍ତି ରୋଗୀ ସେବା, ପଢ଼ନ୍ତୁ ପୂରା ଖବର
ଗ୍ୱାଲିୟର୍: ଆଜି ସାରା ଭାରତବର୍ଷ ମନାଉଛନ୍ତି ଜାତୀୟ ଡାକ୍ତର ଦିବସ । ତେଣୁ ଏହି ଅବସରରେ ଏଭଳି ଏକ ପରିବାର ବିଷୟରେ ଜାଣିବା ଯିଏକି ଗତ ୮୮ ବର୍ଷରୁ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟର୍ ରେ ରହିଛନ୍ତି ଦୀୱାନ୍ ପରିବାର ଯିଏକି ରୋଗୀ ସେବାକୁ ମାଧବ ସେବା ଭାବି ଗତ ୮୮ ବର୍ଷ ହେଲା ଚିକିତ୍ସା ଦିଗରେ ପ୍ରଶଂସନୀୟ ଯୋଗଦାନ କରିଛନ୍ତି । ଏହି ପରିବାରର ୪ ପିଢ଼ିରେ ୪୫ ଜଣ ଡାକ୍ତର ହୋଇଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏଥିରେ ୧୧ ଜଣ କେବଳ ଝିଅ ଡାକ୍ତର ରହିଛନ୍ତି ।
ଗ୍ୱାଲିୟର୍ ର ହୁଜରତ ରୋଡରେ ରହୁଥିବା ଥିବା ଦୀୱାନ୍ ହାଉସ୍ ର ପ୍ରଥମ ପିଢ଼ି ଡାକ୍ତର ଓଏସ୍ ଦୀୱାନ୍ ୧୯୩୩ ମସିହାରେ ପ୍ରଥମେ ଏହି ପେସାରେ ପାଦ ଥାପିଥିଲେ । ଆଉ ତାଙ୍କପରେ ଯେତେସବୁ ପିଢ଼ି ଆସିଥିଲେ ସେମାନେ ମଧ୍ୟ ଡାକ୍ତରୀକୁ ହିଁ ନିଜ ପେସା ଭାବରେ ବାଛିଥିଲେ । ଚତୁର୍ଥ ପିଢ଼ି ଭାବରେ ୨୪ ବର୍ଷର ଆଦିତ୍ୟ ଗତ ବର୍ଷ ଡାକ୍ତର ହୋଇଥିଲେ । ଏହା ସହିତ ପରିବାରର ଆଉ ଏକ ଝିଅ ଚଳିତ ବର୍ଷ ଏମବିବିଏସ୍ ଶେଷ ବର୍ଷର ପରୀକ୍ଷା ଦେବେ ।
କାହା ନାମରେ ପାଳନ କରାଯାଏ ଜାତୀୟ ଡାକ୍ତର ଦିବସ
ଭାରତରେ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ମହାନ୍ ଚିକିତ୍ସକ ଓ ପଶ୍ଚିବମଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡ. ବିଧାନ ଚନ୍ଦ୍ର ରାୟଙ୍କ ଜୟନ୍ତୀ ଅବସରରେ ଏହି ଦିନକୁ ପାଳନ କରାଯାଏ । ସେ ଥିଲେ ବିଚକ୍ଷଣ ଡାକ୍ତର । କୁହାଯାଏ, ତାଙ୍କ ଚିକିତ୍ସାରେ ଆଜି ଯାଏ କିଏ ଏମିତି ରୋଗୀ ନାହାନ୍ତି ଯିଏକି ସୁସ୍ଥ ହୋଇନାହାନ୍ତି । ଯେକୌଣସି ରୋଗକୁ ଭଲ କରିବାରେ ସେ ସକ୍ଷମ ଥିଲେ । ତେବେ ତାଙ୍କର ହେଉଛି ଆଜି ଜୟନ୍ତୀ । ଅନ୍ୟପଟେ ଏହି ଦିନକୁ ସମସ୍ତ ଡାକ୍ତର ମାନଙ୍କୁ ସମର୍ପିତ କରାଯାଇଛି ।