କୋଲକାତା : ଏକ ମାମଲାରୁ ଜଜଙ୍କୁ ହଟାଇବା ଦାବି ମମତାଙ୍କୁ ପଡିଲା ଭାରି। ଏମିତି ଅଜବ ଦାବି ପାଇଁ କଲିକାତା ଉଚ୍ଚ ନ୍ୟାୟାଳୟ ତାଙ୍କ ଉପରେ ଲଗାଇଛନ୍ତି ୫ ଲକ୍ଷ ଟଙ୍କା ଜରିମାନା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାମଲାରେ କଲିକତା ହାଇକୋର୍ଟର ଜଜ କୌଶିକ ଚନ୍ଦଙ୍କୁ ହଟାଇବାକୁ ଦାବି କରିଥିଲେ। ବିଜେପି ସହ କୌଶିକଙ୍କ ସଂପର୍କ ଥିବା ସେ ଅଭିଯୋଗ କରିଥିଲେ। କାରଣ ତୃଣମୂଳ କଂଗ୍ରେସ ପ୍ରମୁଖଙ୍କ ଆବେଦନକୁ ବିଚାରପତି କୌଶିକ ଚନ୍ଦ ଖାରଜ କରିଥିଲେ। ହେଲେ ଏହି ପୂରା ମାମଲା ସହ ସଂପର୍କିତ ଲୋକଙ୍କ ମତରେ ବିଚାରପତି କୌଶିକ ଚନ୍ଦ ନିଜର ବ୍ୟକ୍ତିଗତ ବିବେକ ଆଧାରରେ ମାମଲାର ଶୁଣାଣି ନକରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ମାମଲାରୁ ନିଜକୁ ଦୂରେଇ ନେଇଥିଲେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କଠୁ ପରାଜିତ ହୋଇଥିଲେ। ହେଲେ ସେ ନିଜର ପରାଜୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ଏହି କେସର ଶୁଣାଣି କୌଶିକ ଚନ୍ଦଙ୍କ ପୀଠ କରୁଥିଲେ। ମମତା ଏହି ମାମଲାରୁ ବିଚାରପତି କୌଶିକ ଚନ୍ଦଙ୍କୁ ହଟାଇବାକୁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, କୌଶିକଙ୍କ ବିଜେପି ସହ ସଂପର୍କ ଅଛି। ହେଲେ ଏମିତି ଦାବି କରିବା ତାଙ୍କୁ ଏବେ ମହଙ୍ଗା ପଡିଛି। ଅଦାଲତ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। କୁହାଯାଉଛି ଯେ, ନିଜ ବିବେକକୁ ଦୃଷ୍ଟିରେ ରଖି କୌଶିକ ନିଜେ ଏହି ମାମଲାରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ।
ଅଦାଲତ ମମତାଙ୍କ ଉପରେ ଜରିମାନା ଲଗାଇ କହିଛନ୍ତି, ମମତା ବାନାର୍ଜୀ ନିଜର ଏହି ଦାବି ଜରିଆରେ ନ୍ୟାୟାପାଳିକାର ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଉପରେ ଲଗାଯାଇଥିବା ଜରିମାନା ରାଶି କରୋନା ପ୍ରଭାବିତ ଓକିଲଙ୍କ ପରିବାରର କଲ୍ୟାଣ କାମରେ ଖର୍ଚ୍ଚ କରାଯିବ। ଅଦାଲତର ଏହି ନିଷ୍ପତ୍ତି ଉପରେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।