fbpx

ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ, ସେବାରେ ଉତ୍ସର୍ଗ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ସେ ଭୁବନେଶ୍ୱରରୁ ତୁଳସୀ ପତ୍ର ନେଇ ପୁରୀରେ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୨୨ ବର୍ଷର ଏହି ମହାନ ଯାତ୍ରା ତାଙ୍କର ଜାରି ରହିଛି । ତାଙ୍କର ପ୍ରକୃତ ନାମ ହେଉଛି ଶ୍ରୀ ରାମ ଶରଣ ଦାସ । ତେବେ ସବୁଦିନ ମହାପ୍ରଭୁଙ୍କୁ ତୁଳସୀ ପତ୍ର ସେବା ଯୋଗାଇ ତାଙ୍କର ନାମ ତୁଳସୀ ବାବା ଭାବରେ ପରିଚିତ ।

ତୁଳସୀ ବାବା ରାଜଧାନୀର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରନ୍ତି ତୁଳସୀ ପତ୍ର । ଭଳିକି ଭଳି ତୁଳସୀ ସଂଗ୍ରହ କରନ୍ତି । ରାଜଧାନୀର ଗାଡ଼କଣା, ପଥରଗାଡ଼ିଆ, ଚନ୍ଦକା, ଶ୍ୟାମପୁର, ସମ୍ ହସ୍ପିଟାଲ, କଳିଙ୍ଗ ବିହାର, ପାତ୍ରପଡ଼ା, ଜାଗମରା, ପୋଖରୀଫୁଟ, ୟୁନିଟ୍-୮ ଓ ୯, ନୟାପଲ୍ଲୀ, ଡୁମୁଡୁମା, ସିଜୁଆ, ଇନ୍ଦ୍ରଧନୁ ମାର୍କେଟ, ବ୍ରହ୍ମେଶ୍ୱର ପାଟଣା, ଧଉଳି, ଦାସିଆ ବାଉରୀ ପୀଠ, ବ୍ରହ୍ମପୁର ଇତ୍ୟାଦି ବିଭିନ୍ନ ସ୍ଥାନରୁ ତୁଳସୀ ପତ୍ର ନେଇ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି ତୁଳସୀ ବାବା । ଏହି ସେବା ପାଇଁ ବହୁତ ଶ୍ରଦ୍ଧାଳୁଙ୍କ ଅବଦାନ ଓ ସହଯୋଗ ମଧ୍ୟ ରହିଛି । ସେମାନଙ୍କ ବିନା ମୁଁ କିଛି ନୁହେଁ ବୋଲି ସେ କୁହନ୍ତି ।

ବିଭିନ୍ନ ପ୍ରକାରର ତୁଳସୀ ପତ୍ର ଯେପରିକି କଳା ତୁଳସୀ, ଧଳା ତୁଳସୀ, ମାରୁଆ ତୁଳସୀ, ନଖ ତୁଳସୀ, ମଜ୍ଜରୀ ତୁଳସୀ ଆଦି ସଂଗ୍ରହ କରି ମହାପ୍ରଭୁଙ୍କୁ ଅର୍ପଣ କରିବାରେ ସେ ପ୍ରଚୁର ଆନନ୍ଦ ପାଆନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ପ୍ରକାର ଫୁଲ ମଧ୍ୟ ସେ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରଦ୍ଧାର ସହ ସଂଗ୍ରହ କରନ୍ତି । ବ୍ରହ୍ମ କମଳ, ଟଗର, ପାରିଜାତ, ତରାଟ, ସ୍ୱର୍ଣ୍ଣଚମ୍ପା, ମାଳି, ସୁଗନ୍ଧି ରାଜ, ଯୁଇ, ସେବତୀ, ଗେଣ୍ଡୁ, ରଜନୀଗନ୍ଧା, ଅଶୋକା, ରଜନୀ, ରଙ୍ଗଣୀ, ମାଳତୀ, ମନ୍ଦାର, ନୀଳକଇଁ ଓ ପଦ୍ମ ଆଦି ପୁଷ୍ପାଦି ଅର୍ପଣ କରନ୍ତି ମହାପ୍ରଭୁଙ୍କୁ ।

ତୁଳସୀ ବାବା କହିଛନ୍ତି ଯେ ଏହି ୨ ବର୍ଷ କରୋନା ମହାମାରୀ ପାଇଁ ସେ ବହୁତ ହଇରାଣ ହୋଇଥିଲେ । ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଲା । ତେବେ କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡ଼ନାୟକ, ପୁରୀ ପ୍ରଶାସନ ବିଭାଗର ସହଯୋଗ, ସୂଚନା ଭବନ ହୁଣ୍ଡି ପକ୍ଷରୁ ଜଗନ୍ନାଥ ସାସମଲ ଏବଂ ସାମ୍ବାଦିକ ଭାଇମାନଙ୍କ ସହଯୋଗ ପାଖରେ ସେ କୃତଜ୍ଞ ଓ ଋଣୀ ବୋଲି ପ୍ରକାଶ କରିଛନ୍ତି ତୁଳସୀ ବାବା । ମହାପ୍ରଭୁଙ୍କ ପ୍ରତି ଏଭଳି ଭାବ ଓ ସେବାରେ ବ୍ରତୀ ରହିବା ନିହାତି ଏକ ବିରଳ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସାଧାରଣରେ ବାବାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।

 

Get real time updates directly on you device, subscribe now.