fbpx

ବିନୟର ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୩ ।୨: ନିର୍ଭୟା ମାମଲାରେ ସୁପ୍ରିମ୍‌କୋର୍ଟ ଯାଇଥିଲା ଦୋଷୀ ବିନୟ ଶର୍ମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିବା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା । ଯାହାର ଶୁଣାଣି ଆଜି ହୋଇଛି ।  ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ଅପରାହ୍ନ ୨ଟାରେ ମାମଲାର ରାୟ ପ୍ରକାଶ ହେବାର ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ ୧ରେ ନିର୍ଭୟା ମାମଲାରେ ସମ୍ପୃକ୍ତ ୪ଦୋଷୀଙ୍କୁ ଫାଶୀ ହୋଇଥାନ୍ତା । କିନ୍ତୁ ଦୋଷୀ ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଏବଂ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ଗତ ୫ ତାରିଖ ଦିନ ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଥିଲେ ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଥିଲା । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.