fbpx

ସରିଲା ମାଟ୍ରିକ୍ ଅଫଲାଇନ୍ ଆବେଦନ, ଜାଣନ୍ତୁ କେବେ ହେବ ପରୀକ୍ଷା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରିଯାଇଛି ମାଟ୍ରିକ୍ ଅଫଲାଇନ୍ ଆବେଦନ ପ୍ରକ୍ରିୟା । ଫର୍ମପୂରଣ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରେ ସମାପ୍ତ ହୋଇଛି । ତେବେ ଆସନ୍ତା ୩୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଫଲାଇନ୍ ପରୀକ୍ଷା ପାଇଁ ମାତ୍ର ୧୫ ହଜାର ୧୫୫ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି ।

ଜଣାପଡ଼ିଛି ଯେ, ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୫୯୬ ଜଣ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ, ୮୪୯୩ ଜଣ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଓ ୬୬ ଜଣ ମଧ୍ୟମା ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୨୫ ତାରିଖ ଦିନ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତ ବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଅନେକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ହୋଇ ଅଫଲାଇନ୍ ପରୀକ୍ଷା କରିବାକୁ ଦାବି କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ୍ କରିଥିଲେ । ୭୭୦୩ ଜଣ ପିଲା ଫେଲ୍ ହୋଇଥିବା ବେଳେ ୪୪୧୨ ଜଣ ଅନୁପସ୍ଥିତ ରହିଥିଲେ ।

Get real time updates directly on you device, subscribe now.