fbpx

ଆଖୁ କଟାଳିରୁ ଟୋକିଓ: ଜାଭେଲିନ୍ ଥ୍ରୋୟର ଅନ୍ନୁ ରାଣୀଙ୍କ ଯାତ୍ରା

ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାଇଁ ଏକମାତ୍ର ଜାଭେଲିନ୍ ଥ୍ରୋୟର ଭାବରେ ଯୋଗ୍ୟତା ଅର୍ଜନ କରିଛନ୍ତି ଅନ୍ନୁ ରାଣୀ । ବିଶ୍ୱ ର୍ୟାଙ୍କିଙ୍ଗ ଅନୁଯାୟୀ ଅନ୍ନୁ ରାଣୀ ଜୁଲାଇ ୧ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ସହିତ ୨୧ ବର୍ଷ ପରେ ଦ୍ୱିତୀୟ ଭାରତୀୟ ମହିଳା ଭାବରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଥିଲେ ଅନ୍ନୁ । ତେବେ ଉତ୍ତର ପ୍ରଦେଶର ମୀରଟରୁ ଆରମ୍ଭ ହୋଇଥିବା ଅନ୍ନୁଙ୍କ କାହାଣୀ ମଧ୍ୟ କମ୍ ସଂଘର୍ଷପୂର୍ଣ୍ଣ ନୁହେଁ । ନିଜ ପିତାଙ୍କୁ ଆଖୁ କିଆରୀରେ ସାହଯ୍ୟ କରିବାରୁ ଆରମ୍ଭ ହୋଇଥିବା ଯାତ୍ରା ଟୋକିଓରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଯାଉଛି ।

ପ୍ରାରମ୍ଭରୁ ଆଖୁ କିଆରୀରେ କାମ କରୁଥିବା ଅନ୍ନୁ ଛୋଟ ବେଳୁ କ୍ରିକେଟ ଖେଳନ୍ତି । ବଲ୍ ଥ୍ରୋ କରିବାରେ ଅନ୍ନୁଙ୍କ ଦକ୍ଷତା ଦେଖି ଅନ୍ନୁଙ୍କ ଭାଇ ତାଙ୍କୁ ଅଧିକ ଉତ୍ସାହିତ କରିଥିଲେ । ବାଉଁଶକୁ ଜାଭେଲିନ୍ ଭାବରେ ବ୍ୟବହାର କରି ଅନ୍ନୁଙ୍କ ଜାଭେଲିନ୍ ଯାତ୍ରା ଆରମ୍ଭ ହୋଇଥିଲା । ତେବେ ପିତାଙ୍କ ପକ୍ଷରୁ ଏହାକୁ ଦୃଢ ଭାବରେ ବିରୋଧ କରାଯାଇଥିଲା । ଶେଷରେ ଅନ୍ନୁଙ୍କ ପ୍ରତିଭା ଆଗରେ ପିତା ହାର ମାନି ନେଇଥିଲେ । ଅନ୍ନୁ ୮ ଥର ଜାତୀୟ ରେକର୍ଡ ଭାଙ୍ଗିଥିବା ବେଳେ ପଟିଆଲାରେ ଅନୁଷ୍ଠିତ ଜାତୀୟ ଚାମ୍ପିଅନଶିପରେ ୬୩.୨୪ ମିଟର ଦୂରତା ସହିତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହା ବ୍ୟତିତ ଅନୁ ପ୍ରଥମ ମହିଳା ଜାଭେଲିନ୍ ଥ୍ରୋୟର ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍ ୨୦୧୯ରେ ଅଂଶଗ୍ରହଣ କରିଥିଲେ । ଏହା ସହିତ ପ୍ରଥମ ଭାରତୀୟ ମହିଳା ଭାବେ ୬୦ ମିଟର ଦୂରତ୍ୱ ଅତିକ୍ରମ କରିଥିଲେ ଅନ୍ନୁ ।

Get real time updates directly on you device, subscribe now.