fbpx

ଅଶ୍ୱିନୀ ବୈଷ୍ଣବଙ୍କ ଦଲିଲ ଫାଡିଲେ ଟିଏମସି ସାଂସଦ; ପେଗାସସ ଉପରେ ରଖୁଥିଲେ ବିବୃତି

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ଆଉ ଏକ ଅଣ ସାମ୍ବିଧାନିକ ଘଟଣା ଘଟିଯାଇଛି । ନବନିଯୁକ୍ତ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ନିଜ ବିବୃତି ରଖୁଥିବା ବେଳେ ଏହାକୁ ଚିରି ଦେଇଥିଲେ ଟିଏମସି ସାଂସଦ ସାନ୍ତନୁ ସେନ । ପେଗାସସ ସ୍ପାଏ ୱେୟାରକୁ ନେଇ ଦେଶବ୍ୟାପୀ ଦେଖାଦେଇଥିବା ବିବାଦ ଉପରେ ଆଇଟି ମନ୍ତ୍ରୀ ନିଜର ବକ୍ତବ୍ୟ ରଖିବାକୁ ଯାଉଥିଲେ । ତେବେ ବୈଷ୍ଣବ ନିଜର ବକ୍ତବ୍ୟ ରଖିବା ପୂର୍ବରୁ ତାଙ୍କ ହାତରେ ରହିଥିବା ଦଲିଲକୁ ଫାଡି ଦେଇଥିଲେ ସେନ୍ । ସେନ୍ ଉକ୍ତ କାଗଜକୁ ଫାଡି ଉଡାଇଦେବା ପରେ ରାଜ୍ୟସଭାରେ ହୋ ହଲ୍ଳା ଦେଖାଦେଇଥିଲା ।

ପେଗାସସ ଉପରେ ବୈଷ୍ଣବ ବକ୍ତବ୍ୟ ରଖି ପାରିନଥିବା ବେଳେ ପ୍ରବଳ ହୋ ହଲ୍ଲା ମଧ୍ୟରେ ବିପକ୍ଷ ଦଳକୁ ନିଶାଣରେ ରଖିଥିଲେ । ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏକ ୱେବ ପୋର୍ଟାଲରେ ପେଗାସସ ସମ୍ପର୍କିତ ଖବର ପ୍ରକାଶ ପାଏ । ଏହାକୁ ନେଇ ଅନେକ କପୋଳକଳ୍ପିତ କାହାଣୀ ମଧ୍ୟ ସମ୍ମୁଖକୁ ଆସେ । ସଂସଦୀୟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏଭଳି ଅଭିଯୋଗ ଆସିବା କେବଳ ଏକ ସଂଯୋଗ ହୋଇନପାରେ ବୋଲି ବୈଷ୍ଣବ କହିଥିଲେ । ଏହି ମାମଲାକୁ ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ରିପୋର୍ଟ ସମସ୍ତ ଦଳ ପଢିବା ଉଚିତ ବୋଲି ବୈଷ୍ଣବ ମତ ଦେଇଛନ୍ତି ।

ଏହି ଦଲିଲ ଚିରା ଘଟଣା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଶାନ୍ତନୁ ସେନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗୃହର ଉପମୁଖ୍ୟ ହରିବଂଶ ସମସ୍ତ ସଦସ୍ୟଙ୍କୁ ସଦନର ଗାରିମା ବଜାୟ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ୧୧ଟା ଯାଏଁ ଗୃହ ମୁଲତବୀ କରିଥିଲେ । ଏଭଳି ଘଟଣାକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ନିନ୍ଦା କରିଛନ୍ତି ବିଜେପି ସାଂସଦ ସ୍ୱପନ ଦାସଗୁପ୍ତା ଓ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ।

Get real time updates directly on you device, subscribe now.