fbpx

୨୦୨୪ ନିର୍ବାଚନରେ ମୋଦୀଙ୍କ ସହ ଲଢ଼େଇ କରିବ କିଏ, ମମତା ନା ରାହୁଲ?

ନୂଆଦିଲ୍ଲୀ: ୨୦୨୪ ମେଗା ଇଭେଣ୍ଟ ପୂର୍ବରୁ ଆରମ୍ଭ ହୋଇଛି ରାହୁଲ ଗାନ୍ଧୀଙ୍କର ରଣନୀତି । ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ରାହୁଲଙ୍କ ଡାକରାରେ ଅନେକ ବିପକ୍ଷ ଦଳର ନେତା ଯୋଗ ଦେଇଛନ୍ତି । ଏହି ଅବସରରେ ରାହୁଲ ବିପକ୍ଷ ଦଳର ଅନେକ ନେତାମାନଙ୍କୁ ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ । ବର୍ତ୍ତମାନ ସଂସଦରେ ପେଗାସସ୍ ଜାସୁସୀ ମାମଲାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିବା ବେଳେ ରାହୁଲ ଏନେଇ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଫିଲ୍ଡ ସଜାଡ଼ୁଥିବା ଚର୍ଚ୍ଚା ହେଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଉକ୍ତ ଗସ୍ତ ଅବସରରେ ମମତା ବିପକ୍ଷ ଦଳର ଅନେକ ନେତାଙ୍କୁ ସାକ୍ଷାତ କରି ୨୦୨୪ ନିର୍ବାଚନ ନେଇ ଆଲୋଚନା କରିଥିଲେ । ଏପରିକି ମମତା ହଁ ୨୦୨୪ ନିର୍ବାଚନରେ ବିରୋଧୀ ମହାମେଣ୍ଟର ଚେହେରା ଭାବେ ଉଭା ହେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ରାହୁଲ ପୁଣି କ୍ୟାପ୍ଟେନ ଭୂମିକାକୁ ଆସିଯାଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ରାହୁଲଙ୍କୁ ଯୁବରାଜ କୁହାଯାଉଥିବା ବେଳେ ଦଳ କ୍ଷମତାରେ ଥାଉ ବା ନଥାଉ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ବିଜେପି କେନ୍ଦ୍ରରେ ଶାସନାଧୀନ ଥିବା ବେଳେ ବିପକ୍ଷ ଦଳର କୌଣସି ନେତାଙ୍କ ଆବିର୍ଭାବକୁ ହୁଏତ ରାହୁଲ ଗ୍ରହଣ କରିନପାରନ୍ତି । ଏହି ବୈଠକ ପଛର ମୁଖ୍ୟ ଉଦ୍ଦେଶ୍ୟ ୨୦୨୪ ନିର୍ବାଚନ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଏହି ମିଟିଂରେ ଟିଏମସି, ଶିମସେନା, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ଏସପି, ସିପିଆଇଏମ, ସିପିଆଇ, ଆରଏସପି, ଜେଏମଏମ, ଏନସି, ଏଲଜେଡି ଆଦି ଦଳର ନେତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନା ଖଡଗେ କହିଥିଲେ ଯେ, ସରକାର ଆମର କୌଣସି କଥାକୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ରାଜରାସ୍ତାକୁ ନେଇ ସଂସଦ ପର୍ଯ୍ୟନ୍ତ ଆମକୁ ଲଢ଼େଇ କରିବାକୁ ପଡ଼ିବ । ଦେଶରେ କରୋନାକୁ ନେଇ ଯେପରି ଚର୍ଚ୍ଚା ହେଉଛି, ଅନୁରୂପ ଭାବେ ପେଗାସସ ମାମଲାକୁ ନେଇ ସ୍ୱର ଉଠିବା ଦରକାର ବୋଲି କସେ କହିଥିଲେ ।

Get real time updates directly on you device, subscribe now.