fbpx

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ବ୍ୟକ୍ତି ହେଉ ନା କାହିଁକି, ସେ ସେଲିବ୍ରିଟି ହେଉ କି ଖେଳାଳି ହେଉ । କାରଣ ପ୍ରତିଟି କ୍ଷେତ୍ର ଏବଂ କାର୍ଯ୍ୟରେ ସାର୍ବଜନୀନ ଜୀବନରେ ଆପଣ ଲୋକଙ୍କଠୁ ଅନେକ କଥା ଶୁଣିଥାନ୍ତି । ସଫଳତା ମିଳିଲେ ପ୍ରଶଂସା ମିଳେ, ଆଉ ବିଫଳତା ମିଳିଲେ ସମାଲୋଚନା ଶୁଣିବାକୁ ପଡ଼ିଥାଏ । ଏମିତି କି କିଛି ନହୋଇ ମଧ୍ୟ ବେଳେ ବେଳେ ଅଯଥାରେ ଏଣୁ ତେଣୁ କଥା ଶୁଣିବାକୁ ପଡ଼ିଥାଏ । ଯେଉଁ ବ୍ୟକ୍ତି ଏସବୁଠୁ ଊର୍ଦ୍ଧ୍ୱରେ ଥାଆନ୍ତି ବାସ୍ତବରେ ସେମାନେ ହିଁ ଜୀବନରେ ସଫଳ ହୋଇଥାନ୍ତି ଏବଂ ସମାଜରେ ଅନ୍ୟମାନଙ୍କଠୁ ଭିନ୍ନ ବ୍ୟକ୍ତିତ୍ୱ ହୋଇଥାନ୍ତି । ଆଉ ଯେଉଁ ବ୍ୟକ୍ତି ଲୋକଙ୍କ ପ୍ରତିଟି କଥାକୁ ଶୁଣି କି ଗୁରୁତ୍ୱ ଦେବ ତେବେ ସେ ନିଜ କର୍ତ୍ତବ୍ୟରୁ ମଧ୍ୟ ବିଚ୍ୟୁତ୍ ହେବାର ଆଶଙ୍କା ରହିଛି । ଯେତିକି ସେ ନିଜ କାମରେ ଧ୍ୟାନ ଦେଇ ପାରିଥାନ୍ତା ନିଶ୍ଚିତ ରୂପେ ସେଥିରେ ଅଭାବ ଦେଖିବାକୁ ମିଳିବ । ସେଥିପାଇଁ ବିଶେଷକରି ଖେଳାଳିଙ୍କୁ ଏସବୁଠୁ ଦୂରରେ ରଖାଯାଏ । ଗଣମାଧ୍ୟମରେ କଣ ପ୍ରସାରଣ ହେଉଛି ଏବଂ ଲୋକେ କଣ ପ୍ରତିକ୍ରିୟା ଦେଉଛନ୍ତି ଏସବୁରୁ ଖେଳାଳିଙ୍କୁ ନିବୃତ୍ତ ରଖାଯାଏ । କାରଣ ଖେଳାଳି ଯଦି ଏସବୁ ଉପରେ ଧ୍ୟାନ ଦେବେ ତେବେ ଖେଳରେ ନିଜର ଲୟ ହରାଇବେ । ଖେଳ ଉପରୁ ନିଜ ଧ୍ୟାନ ହଟିଯିବ । ନିଜର ଶତ ପ୍ରତିଶତ ମଧ୍ୟ ଦେଇ ପାରିବେ ନାହିଁ । ବୋଧହୁଏ ଏମିତି କିଛି ରାଜ୍ୟର ତଥା ଦେଶର ଧାବିକା ଦୂତୀ ଚାନ୍ଦଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ଜାପାନର ରାଜଧାନୀ ଟୋକିଓରେ ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଆୟୋଜନ ଚାଲିଛି । ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି । ଭାରତ ଏଥର ୧୧୮ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପଠାଇଥିଲା । ଏଥିରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଦୂତୀ ଚାନ୍ଦ । ଆଶା କରାଯାଉଥିଲା ସେ ଟୋକିଓରେ ଭାରତର ଟେକ ରଖିବେ । ହେଲେ ସେ ଉଭୟ ଦୌଡ଼ରେ ନିରାଶ କରିଥିଲେ । ୧୦୦ ମିଟର ଦୌଡ଼ରେ ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ୧୧.୫୪ ସେକେଣ୍ଡ ସମୟ ନେଇ ଯୋଗ୍ୟତା ଅର୍ଜନ ମଧ୍ୟ କରି ପାରିନଥିଲୋ । ଏପରିକି ନିଜ ରେକର୍ଡରେ ମଧ୍ୟ ଉନ୍ନତି ଆଣି ପାରିନଥିଲେ ଦୂତୀ । ଦୂତୀଙ୍କ ୧୦୦ ମିଟର ରେକର୍ଡ ୧୧.୧୭ ସେକେଣ୍ଡ ରହିଥିଲା । ଅନୁରୂପ ୨୦୦ ମିଟର ହିଟ୍ସରେ ମଧ୍ୟ ଦୂତୀ ନିଜ ଗ୍ରୁପରେ ସପ୍ତମ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ । ୨୩.୮୫ ସେକେଣ୍ଡରେ ସେ ୨୦୦ ମିଟର ଅତିକ୍ରମ କରି ବିଫଳ ହୋଇଥିଲେ । ସେ ବିଫଳ ହେବା ପରେ ତାଙ୍କ ପ୍ରତି ଲୋକଙ୍କ ପ୍ରତିକ୍ରିୟା ଆସିବା ଏବଂ ତାଙ୍କୁ ଲୋକେ ସମାଲୋଚନା କରିବା ସ୍ୱଭାବିକ କଥା ଥିଲା । ସେ କ୍ରିକେଟ୍ ଖେଳ ହେଉ କି ହକି ବା ଅନ୍ୟ କୌଣସି କ୍ରୀଡ଼ା ହୋଇ ଥାଉ ନା କାହିଁକି? ଖେଳାଳି ଯଦି ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ଲୋକେ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ସେ ପୁଣି ଅଲିମ୍ପିକ୍ସ ପରି ଖେଳରେ ପ୍ରତିଟି ଭାରତୀୟଙ୍କ ଭାବନା ଜଡ଼ିତ ରହିଛି ।

ଜଣେ କ୍ରୀଡ଼ାବିତ୍ ହିସାବରେ ଯେତେବେଳେ ଆପଣ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ସେ ପୁଣି ବିଶ୍ୱର ମହାକୁମ୍ଭ ଅଲିମ୍ପିକ୍ସରେ ତେବେ ଆପଣଙ୍କ ସମସ୍ତ ଧ୍ୟାନ ନିଜର ଖେଳ ଉପରେ ରହିବା ଉଚିତ୍ । କେମିତି ନିଜର ପ୍ରଦର୍ଶନ ସୁଧାର ଆସିବ ଏବଂ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି କେମିତି ସଫଳ ହେବି ଏହି ମନୋଭାବନା ନିଶ୍ଚିତ ଭାବେ ପ୍ରତିଟି ଆଥଲେଟ୍ ଏବଂ ଖେଳାଳିଙ୍କ ମନରେ ଥିବ । ନିଃସନ୍ଦେହରେ ଦୂତୀ ଚାନ୍ଦ କ୍ରମାଗତ ଦୁଇ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଗୌରବାନ୍ୱିତ କରିଛନ୍ତି । କିନ୍ତୁ ଜଣେ କ୍ରୀଡ଼ାବିତଙ୍କ ହିସାବରେ ତାଙ୍କର ଯେମିତି ବ୍ୟକ୍ତିତ୍ୱ ରହିବା କଥା ସେଥିରେ କିଛିଟା ଅଭାବ ଦେଖିବାକୁ ମିଳିଛି । ମଣିଷ ମାତ୍ରେ କିଛିନା କିଛି ବିବାଦ ରହିବ । ଦୂତୀଙ୍କୁ ଜଣେ ସାଧାରଣ ଜନତା ଭାବେ ଧରାଯିବ ନାହିଁ । କାରଣ ସେ ଦେଶର ସବୁଠୁ ଦ୍ରୁତତମ ମହିଳା ଧାବିକା । ସେଥିପାଇଁ ତ ଆପଣଙ୍କ ଉପରେ ଆଶା ଥିଲା ଯେ, ଆପଣ ଭଲ ପ୍ରଦର୍ଶନ କରିବେ । ପଦକ କଥା ଛାଡ଼ି ଦିଅନ୍ତୁ ନିଜର ପୂର୍ବ ରେକର୍ଡରେ ଉନ୍ନତି ଘଟାଇବେ । କିନ୍ତୁ ଅଲିମ୍ପିକ୍ସ ଖେଳ ମଝିରେ ଖବର ଆସିଲା ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆପଣଙ୍କୁ ଉଦ୍ଦେଶ୍ୟମୂଳକ ହଇରାଣ କରୁଛନ୍ତି । ଆପଣଙ୍କ ବାପା-ମାଙ୍କଠୁ ଖବର ସଂଗ୍ରହ କରି ଆପଣଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହା ପରେ ପରେ ଆପଣଙ୍କ ପ୍ରତିକ୍ରିୟା ମଧ୍ୟ ଆସିଥିଲା । ନିଶ୍ଚିତ ଭାବେ ଦେଶ ପାଇଁ ଏବଂ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଥଲେଟଙ୍କ ପ୍ରତି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏମିତି କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ । କିନ୍ତୁ ଏହି ଧରଣର ଖବରଠୁ ଦୂତୀଙ୍କୁ ଅନ୍ତତଃ ଅଲିମ୍ପିକ୍ସ କ୍ରୀଡ଼ା ସରିବା ପର୍ଯ୍ୟନ୍ତ ଦୂରେଇ ରହିଥିଲେ ଭଲ ହୋଇଥାନ୍ତା । ଯଦି ଆପଣ ଖେଳ ମଝିରେ ଏମିତି ନକରାତ୍ମକ ଖବର ପ୍ରତି ଧ୍ୟାନ ଦେବେ ତେବେ ତ ଆପଣଙ୍କ ଧ୍ୟାନ ଖେଳଠୁ ହଟିବା ସ୍ୱଭାବିକ । ଏଥିରେ ଆପଣଙ୍କ ଲୟ ମଧ୍ୟ ପ୍ରଭାବିତ ହେବ । କ୍ରୀଡ଼ାବିତ୍ ହିସାବରେ ଏସବୁଠୁ ଊର୍ଦ୍ଧ୍ୱରେ ରହିଥିଲେ ଭଲ ହୋଇଥାନ୍ତା । ଯଦି ବି ଏଭଳି କିଛି ନଜରକୁ ଆସିଲା, ତେବେ ତାକୁ ଅଗ୍ରାହ୍ୟ କରିବା କଥା । ଯେହେତୁ ଦୂତୀଙ୍କ ପାଇଁ ଏଭଳି ବିବାଦ କଥା ନୂଆ ନୁହେଁ । ଟଙ୍କା ଅଭାବ, ଘରୋଇ କଳି, ଲିଙ୍ଗଗତ, ସମଲିଙ୍ଗୀ ସମ୍ପର୍କ ଭଳି ଆଦି ଅନେକ ବିଷୟରେ ଦୂତୀ ଖୁବ୍ ବିିବାଦରେ ଛନ୍ଦି ହୋଇସାରିଛନ୍ତି । ତେଣୁ ତାଙ୍କ ପାଇଁ ଏଭଳି ନୂଆ ବିବାଦ କିଛି ବଡ଼ କଥା ନୁହେଁ ।

ଏସବୁ ମଧ୍ୟରେ ଦୂତୀଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ଦୂତୀଙ୍କ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଦୂତିଙ୍କ କ୍ରୀଡ଼ା ପ୍ରତି ଥିବା ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ଧାବିକା ଦୂତୀ ଚାନ୍ଦ ଅଲିମ୍ପିକ୍ସରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ୧୦୦ ମିଟର ଏବଂ ୨୦୦ ମିଟରରେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ନିରୁତ୍ସାହିତ, ଲଜ୍ଜାଜନକ ଏବଂ ଦୁଃଖର ବିଷୟ । ସେ ଏହା ମଧ୍ୟ କହିଛନ୍ତି, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଗତ ଚାରି ବର୍ଷରେ ଓଡ଼ିଶା ସରକାର ତାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଏହି ଖର୍ଚ୍ଚର ମୂଲ୍ୟ ରଖି ପାରି ନାହାନ୍ତି ଦୂତୀ । ଏହି ଟଙ୍କା ସାଧାରଣ ଜନତାଙ୍କ ଟ୍ୟାକ୍ସ ପଇସାରୁ ଆସିଛି । ଯେଉଁ ସମୟରେ ଦୂତୀ ନିଜର ଖେଳ ପ୍ରତି ଧ୍ୟାନ ଦେବା କଥା ସେହି ସମୟରେ ସେ ଆମୋଦ ପ୍ରମୋଦରେ ଅତିବାହିତ କରିଥିବା ସରସ୍ୱତୀ ଚାନ୍ଦ କହିଛନ୍ତି ।

ସରସ୍ୱତୀଙ୍କ ଏହି ପ୍ରତିକ୍ରିୟା ପ୍ରତି ଯଦି ଆପଣ କିଛି ସମୟ ଧ୍ୟାନ ଦେବେ ତେବେ ଜଣେ କ୍ରୀଡ଼ାବିତ୍ ହିସାବରେ ଏସବୁ କାର୍ଯ୍ୟ ଶୋଭନୀୟ ନୁହେଁ । କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯଦି ଆପଣ ସବୁଠୁ ବଡ଼ ସଫଳତା ଭାବୁଛନ୍ତି ତେବେ ଏହା ପୂର୍ବରୁ ଦେଶର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ତିନି ଚାରି ଥର ଦେଶ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ସାରିଛନ୍ତି । ଏହା ପରେ ଦୂତୀ ଭିଡିଓ ଜାରି କରି ନିଜର ବିଫଳତା ଏବଂ ତାଙ୍କ ପ୍ରତି ବଡ଼ ଭଉଣୀ ଆଣିଥିବା ଅଭିଯୋଗର ମଧ୍ୟ ଉତ୍ତର ରଖିଛନ୍ତି । ଅଲିମ୍ପିକ୍ସ ଖେଳ ମଝିରେ ଜଣେ ଆଥଲେଟଙ୍କ ପ୍ରତି ଏମିତି ଅଭିଯୋଗ ଆସିବା ନିଶ୍ଚିତ ଭାବେ ଦୁଃଖଦାୟକ ।

କିନ୍ତୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସମୟରେ ଆପଣ ଭିଡିଓ ଜାରି କରି ଉତ୍ତର ରଖିବା କେତେ ଦୂର ସମୀଚିନ? ଓଡ଼ିଶା ଫେରି ଆପଣ ନିଜର ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଥିଲେ ବୋଧହୁଏ ଆହୁରି ଗ୍ରହଣୀୟ ହୋଇ ପାରିଥାନ୍ତା । କିନ୍ତୁ ଟୋକିଓରେ ଥାଇ ଏମିତି ଭିଡିଓ ଜାରି କରିବା ଆପଣଙ୍କ ଖେଳୁଆଡ଼ ମନୋଭାବ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଲୋକେ ଭାବିବା ସ୍ୱଭାବିକ ଯେ ଆପଣ ଅଲିମ୍ପିକ୍ସ ପରି ଖେଳରେ ଅଂଶଗ୍ରହଣ କରିବା ବେଳେ କେମିତି ଏସବୁ ଖବର ଉପରେ ନଜର ରଖୁଛନ୍ତି । ନିଶ୍ଚିତ ଭାବେ ଆପଣ ଆମ ସଭିଙ୍କ ଗର୍ବ । କିନ୍ତୁ ସାଧାରଣ ଜନତାଟିଏ ଏହା ମଧ୍ୟ ଭାବିବ ଯେ, ଆପଣଙ୍କ ଧ୍ୟାନ ଖେଳ ପ୍ରତି ବିଚ୍ୟୁତ ଘଟୁଛି । ଲୋକେ ସଫଳ ହେଲେ ପ୍ରଶଂସା କରିବେ ଏବଂ ବିଫଳ ହେଲେ ନିନ୍ଦା କରିବା ସ୍ୱଭାବିକ । ଯଦି ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ହିସାବରେ ଆପଣ ପ୍ରତିଟି ସମାଲୋଚନା ଓ ନିନ୍ଦା ପ୍ରତି ପ୍ରତିକ୍ରିୟାଶୀଳ ହେବେ ତେବେ ଏହା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆପଣଙ୍କ ଖେଳ ପ୍ରତି ଥିବା ମାନସିକତା ଉପରେ ମଧ୍ୟ ପ୍ରଶ୍ନ ଉଠିବ । ଖେଳାଳି ହିସାବରେ ଯେଉଁ ବ୍ୟକ୍ତିତ୍ୱ ରହିବା କଥା ସେଥିପ୍ରତି ଧ୍ୟାନ ଦେବା ଆପଣଙ୍କ ପକ୍ଷେ ଶ୍ରେୟସ୍କର ହେବ । ଆପଣଙ୍କ ନିଷ୍ଠା ହିଁ ସମାଲୋଚକଙ୍କୁ ଜବାବ ହେବ ।

Get real time updates directly on you device, subscribe now.