fbpx

‘ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବ, କିନ୍ତୁ ଛୁଆକୁ ନୁହେଁ’ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, ସ୍ୱାମୀ ନିଜ ପତ୍ନୀଙ୍କୁ ଛାଡ୍ରପତ୍ର ଦେଇପାରେ, କିନ୍ତୁ ପିଲାମାନଙ୍କୁ ନୁହେଁ । ସ୍ୱାମୀକୁ ନିଜ ପିଲାମାନଙ୍କର ଯତ୍ନ ନେବାକୁ ପଡିବ । ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ କହିଛନ୍ତି ଯେ, ‘ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବେ କିନ୍ତୁ ନିଜ ପିଲାଙ୍କୁ ଛାଡପତ୍ର ଦେଇପାରିବେ ନାହିଁ । କାହିଁକି ନା ଆପଣ ସେମାନଙ୍କୁ ଜନ୍ମ ଦେଇଛନ୍ତି ।’

ଏହା ସହ ଛାଡପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତିକୁ ୬ ସପ୍ତାହ ମଧ୍ୟରେ ପିଲାଙ୍କ ରକ୍ଷଣାବେକ୍ଷଣା ପାଇଁ ୪ କୋଟି ଟଙ୍କା ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନର ୧୪୨ ଧାରା ଅନୁସାରେ, ସର୍ବୋଚ୍ଚ ନ୍ୟାୟାଳୟ ଏହି ଅଧିକାରକୁ ବ୍ୟବହାର କରିଥିଲେ ଓ ଦମ୍ପତ୍ତିଙ୍କ ପାରସ୍ପରିକ ସମ୍ମତି ଆଧାରରେ ଛାଡ଼ପତ୍ର ଆଦେଶକୁ ପାରିତ କରିଛନ୍ତି ।

ତେବେ ସ୍ୱାମୀ-ସ୍ତ୍ରୀ ୨୦୧୯ ମସିହାରୁ ଅଲଗା ରହୁଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଏମଆର ଶାହଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚର କହିବା ମୁତାବକ, ‘ଚୁକ୍ତିନାମା ଅନୁସାରେ ଯାହା ନିଷ୍ପତ୍ତି ହୋଇଛି ତାହା ଲାଗୁ ହେବ ।’ ସ୍ୱାମୀଙ୍କ ପକ୍ଷର ଓକିଲ କୋର୍ଟରେ କହିଛନ୍ତି ଯେ, କରୋନା କାଳରେ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ପିଲାଙ୍କ ଲାଳନପାଳନ ପାଇଁ ଅର୍ଥ ତୁରନ୍ତ ଦିଆଯାଇପାରିବ ନାହିଁ । ସେଥିପାଇଁ ସେ କୋର୍ଟରେ ଆଉ କିଛି ସମୟ ମାଗିଛନ୍ତି ।

ଏହା ଉପରେ କୋର୍ଟ କହିଛନ୍ତି ଯେ, ସ୍ୱାମୀ ନିଜେ କହିଛନ୍ତି ଯେ ଯେଉଁଦିନ ଛାଡ଼ପତ୍ରର ମଞ୍ଜୁରୀ ମିଳିବ ସେହିଦିନ ପିଲାଙ୍କ ଲାଳନପାଳନ ପାଇଁ ୪ କୋଟି ଟଙ୍କା ଜମା କରିବେ ।’ ସ୍ୱାମୀ-ସ୍ତ୍ରୀଙ୍କର ୨ଟି ସନ୍ତାନ ଥିବା ବେଳେ ପିଲାଙ୍କ କଷ୍ଟଡ଼ୀକୁ ନେଇ ପୂର୍ବରୁ ଚୁକ୍ତି ହୋଇସାରିଛି । ଏବେ ସ୍ୱାମୀକୁ ୧ ସେପ୍ଟେମ୍ବର ୨୦୨୧ ସୁଦ୍ଧା ୧ କୋଟି ଓ ବାକି ୩ କୋଟି ୨୦୨୧ ସେପ୍ଟେମ୍ବର ୩୦ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.