fbpx

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ, ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ

ଲକ୍ଷ୍ନୌ (ଭାସ୍କର ନ୍ୟୁଜ୍) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ଓ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ୮୯ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ଲକ୍ଷ୍ନୌ ସ୍ଥିତ ସଞ୍ଜୟଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସେସ୍‌ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ଜୁଲାଇ ୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସିତ କରାଯାଉଥିଲା । ଫୁସ୍‌ଫୁସ୍‌ରେ ସଂକ୍ରମଣ କାରଣରୁ ତାଙ୍କର ପରଲୋକ ହୋଇଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଶ୍ରୀ ସିଂଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି ଯେ ଦେଶ ଜଣେ ରାଷ୍ଟ୍ରନାୟକ ତଥା ଦକ୍ଷ ପ୍ରଶାସକଙ୍କୁ ହରାଇଲା, ଯେକି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିପାରିଥିଲେ । ଉତ୍ତରପ୍ରଦେଶର ବିକାଶରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପରବର୍ତ୍ତୀ ପିଢି ସ୍ୱର୍ଗତ ସିଂଙ୍କୁ ମନେ ରଖିବା ସହ ସାଂସ୍କୃତିକ ପୁନରୁଥାନ ପାଇଁ ତାଙ୍କ ଅବଦାନକୁ ସର୍ବଦା ମନେ ରଖିବ । ବିଶେଷକରି ଯୁବକ, ମହିଳା ଓ ଚାଷୀଙ୍କ ସଶକ୍ତିକରଣ ଦିଗରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ ସେ ଜଣେ ଅଗ୍ରଜଙ୍କୁ ହରାଇଲେ । ଦେଶ ଓ ଜାତି ପାଇଁ ତାଙ୍କ ଅବଦାନ ଅପୂରଣୀୟ ଥିବା ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିବା ସହ ସ୍ୱର୍ଗତଃ ସିଂଙ୍କ ଶେଷକୃତ୍ୟ ଗଙ୍ଗାନଦୀ କୂଳରେ ଅଗଷ୍ଟ ୨୩ ତାରିଖରେ କରାଯିବ ବୋଲି ଘୋଷଣା କରିଛନ୍ତି । ଅଗଷ୍ଟ ୨୩ ତାରିଖକୁ ରାଜ୍ୟରେ ସରକାରୀ ଛୁଟି ଦିବସ ଭାବେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ରବିବାରଠାରୁ ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.