fbpx

ସିସୋଦିଆଙ୍କ ବଡ ଘୋଷଣା-ୟୁପିରେ କ୍ଷମତାକୁ ଆସିଲେ ପ୍ରତି ଘରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବ ଆମ ଆଦମୀ ପାର୍ଟି

ଲଖନଉ : ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)ର ନଜର ଏବେ ଉତ୍ତର ପ୍ରଦେଶ ବିଧାନସଭା ଉପରେ ରହିଛି । ପଞ୍ଜାବରେ ନିଜର ସ୍ଥିତି ସୁଦୃଢ କରୁଥିବା ଆପ୍ ଏବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପାର୍ଟି ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ରାଜ୍ୟରେ ଆପ୍ ସରକାରକୁ ଆସିଲେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଏବଂ ୩୮ ଲକ୍ଷ ପରିବାରଙ୍କ ଉପରେ ବକେୟା ଥିବା ବିଜୁଳି ଛାଡ କରିବାକୁ ଦଳ ଘୋଷଣା କରିଛି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗୁରୁବାର ଲଖନଉରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟିର ସରକାର ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ । ଏହା ବ୍ୟତୀତ ସରକାର ଛୋଟ ବଡ ସବୁ ପ୍ରକାରର କୃଷକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବ ବୋଲି ସିସୋଦିଆ କହିଛନ୍ତି ।

ମନିଷ ସିସୋଦିଆ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ସରକାରକୁ ଆସିଲେ ୩୮ ଲକ୍ଷ ପରିବାରଙ୍କ ବିଜୁଳି ବିଲ୍ ଛାଡ କରିବ ଏବଂ ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଉପଲବ୍ଧ କରିବ । ସେ ଅଭିଯୋଗ କରିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାର ବିଜୁଳି ବିଲ୍ ଏତେ ମହଙ୍ଗା କରିଛନ୍ତି ଯେ, ତାହା ଭରିବା ବହୁତ ମୁସ୍କିଲ ହେଉଛି । ସରକାର କହୁଛି ବିଜୁଳି ବିଲ୍ ପୈଠ କର ନହେଲେ ତୁମକୁ ଅପରାଧୀ ବିବେଚିତ କରାଯିବ ।

ସେ ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶରେ ଶତାଧିକ ମାମଲା ଏମିତି ରହିଛି, ଯେଉଁଠି ସାଧାରଣ ଜନତା ବିଜୁଳିର ମହଙ୍ଗା ବିଲ୍ ଦେଖି ଆତ୍ମହତ୍ୟା କରିଛନ୍ତି । ଅଲିଗଡରେ ରାମଜୀ ଲାଲ ନାମକ ଜଣେ କୃଷକ ବିଜୁଳି ବିଲ୍ ପୈଠ ନକରି ପାରିବା କାରଣରୁ ଆତ୍ମହତ୍ୟା କରିଛନ୍ତି । ଏଟାରେ ୧୭ ବର୍ଷର ଝିଅ କେବଳ ଏଥିପାଇଁ ଆତ୍ମହତ୍ୟା କଲା ଯେ, ବିଜୁଳି ବିଭାଗ ତାଙ୍କ ବାପାଙ୍କ ନାମରେ ଭୁଲ୍ ବିଲ୍ ପଠାଇଥିଲା । ଏହି ବିଲ୍ ପୈଠ ନକରି ପାରିବା କାରଣରୁ ତାଙ୍କୁ ଅପରାଧୀ ଘୋଷିତ କରାଯାଇଥିଲା ।

Get real time updates directly on you device, subscribe now.