fbpx

ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ୬ ବଡ଼ ପ୍ରତିଶ୍ରୁତି: କହିଲେ ‘ସରକାରକୁ ଆସିଲେ ଚିକିତ୍ସା, ଔଷଧ ଓ ଅପରେସନ ମାଗଣା’

ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇ ବଡ଼ ଘୋଷଣା କରିଛନ୍ତି । ଲୁଧିଆନାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟର ଜନସାଧାରଣଙ୍କ ପାଇଁ ୬ଟି ବଡ଼ ଘୋଷଣା କରିଛନ୍ତି । ପଞ୍ଜାବରେ ଆପ୍ ସରକାର ଗାଦିକୁ ଆସିବା ପରେ ଜନସାଧାରଣଙ୍କୁ ଏହାର ଲାଭ ମିଳିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ କେଜ୍ରିୱାଲ ପଞ୍ଜାବର ଜନସାଧାରଣଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ପଞ୍ଜାବ ଗସ୍ତରେ ଯାଇ କେଜ୍ରିୱାଲ କହିଛନ୍ତି ଯେ, ‘ରାଜ୍ୟରେ ଆପ୍ ସରକାର ଆସିଲେ ଲୋକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ । ଦିଲ୍ଲୀ ଭଳି ପଞ୍ଜାବବାସୀମାନେ ବି ସୁବିଧା ପାଇବେ ।’ ଏହା ସହ ସେ ପଞ୍ଜାବବାସୀଙ୍କ ପାଇଁ ୬ଟି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସେଗୁଡିକ ହେଉଛି…

୧. ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଏବଂ ଭଲ ଚିକିତ୍ସା ଯୋଗାଇ ଦିଆଯିବ ।

୨. ସମସ୍ତ ଔଷଧ, ସମସ୍ତ ପରୀକ୍ଷା ଏବଂ ଅପରେସନ୍ ମାଗଣା ହେବ ।

୩. ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ, ଯେଉଁଥିରେ ସମସ୍ତ ସୂଚନା ରହିବ । ଫଳରେ ସବୁ ସ୍ଥାନରେ ରିପୋର୍ଟ ଧରି ବୁଲିବା ଆବଶ୍ୟକ ପଡ଼ିବ ନାହିଁ ।

୪. ପଞ୍ଜାବର ଗଳିକନ୍ଦିରେ ମହୋଲ୍ଲା କ୍ଲିନିକ୍ ବା ପିଣ୍ଡ କ୍ଲିନିକ୍ ଖୋଲାଯିବ । ରାଜ୍ୟରେ ୧୬ ହଜାର ପିଣ୍ଡ କ୍ଲିନିକ୍ ଖୋଲାଯିବ ।

୫. ସମସ୍ତ ସରକାରୀ ଡାକ୍ତରଖାନାକୁ ଠିକ୍ କରାଯିବ, ଯେଉଁଠାରେ ଘରୋଇ ଡାକ୍ତରଖାନା ପରି ଚିକିତ୍ସା ହେବ ।

୬. ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ମହଙ୍ଗା ହସ୍ପିଟାଲରେ ଚିକିତ୍ସା ହେଲେ ବି ପୀଡିତଙ୍କ ପକେଟରୁ ଟଙ୍କାଟିଏ ବି ଖର୍ଚ୍ଚ ହେବ ନାହିଁ ।

Get real time updates directly on you device, subscribe now.