fbpx

୧୦ ବର୍ଷ ହେବ ଭାରତରେ ରହୁଥିଲା ପାକ୍ ଆତଙ୍କୀ ଅଶରଫ, ପଚାରିବାରୁ କଲା ୫ ବଡ଼ ଖୁଲାସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲକ୍ଷ୍ମୀନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମୋହମ୍ମଦ ଅଶରଫ ଭାରତରେ ପ୍ରାୟ ୧୦ ବର୍ଷ ହେବ ରହିଆସୁଥିଲା । ପ୍ରାରମ୍ଭିକ ପଚରାଉଚରାରେ ଅନେକ ବଡ଼ ଖୁଲାସା କରିଛି ଅଶରଫ । ଏବେ ବି ଦିଲ୍ଲୀ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପଚରାଉଚରା ଜାରି ରଖିଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚଢ଼ାଉ କରି ଆତଙ୍କବାଦୀକୁ ଧରିଥିଲା । ଗିରଫ ଆତଙ୍କବାଦୀଠାରୁ ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି । ଦିଲ୍ଲୀରେ ବିସ୍ଫୋରଣ ଘଟାଇବାକୁ ଆଇଏସଆଇ ଠାରୁ ତାଲିମ ନେଇଥିବା ଆତଙ୍କବାଦୀ ଡକ୍ୟୁମେଣ୍ଟ ଜାଲିଆତି କରି ଦିଲ୍ଲୀରେ ରହିଆସୁଥିଲା । କେବଳ ଦିଲ୍ଲୀ ନୁହେଁ, ଅନ୍ୟ କିଛି ସହରରେ ଆକ୍ରମଣ କରିବାର ଯୋଜନା କରିଥିଲା ଗିରଫ ଆତଙ୍କବାଦୀ । ସେ ନେପାଳ ରାସ୍ତା ଦେଇ ଦିଲ୍ଲୀରେ ପଶିଥିବା କୁହାଯାଉଛି ।

ଦିଲ୍ଲୀ ପୋଲିସର କହିବା ମୁତାବକ, ପାକିସ୍ତାନୀ ନାଗରିକ ଅଶରଫ ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ଆତଙ୍କବାଦୀ କାର୍ଯ୍ୟ କରିଛି, ସେନେଇ ଅନୁସନ୍ଧାନ ଚାଲିଛି । ଏହା ସହ ଭାରତରେ ରହି କେଉଁ କେଉଁ ଲୋକଙ୍କର ସାହାଯ୍ୟ ନେଇଥିଲା, ତାହାର ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ପଚରାଉଚରାରେ ଅନେକ ବଡ଼ ବଡ଼ ଖୁଲାସା ହୋଇଛି  । ଯେଉଁ ଆକ୍ରମଣରେ ଅଶରଫ ସାମିଲ ରହିଥିଲା ।

୧ -୨୦୦୯ ମସିହାରେ ଜାମ୍ମୁର ବସ ଷ୍ଟାଣ୍ଡରେ  ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ୩-୪ ଜଣଙ୍କର ମୃତ୍ୟୁ ଘଟି ଥିଲା। ଆଇଏସଆଇ ଅଧିକାରୀ ନାସିରଙ୍କ ନିର୍ଦ୍ଦେଶରେ ସେ ଏହି ଆକ୍ରମଣ କରିଥିଲେ ।

୨ -ଆତଙ୍କବାଦୀ ଅଶରଫ କହିଛି ଯେ, ସେ ୨୦୧୧ ମସିହାରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣ କରାଇଥିଲା । ଏହି ବିସ୍ଫୋରଣ କରିବାକୁ ଦୁଇ ପାକିସ୍ତାନୀ ଆସିଥିଲେ ।ଏଥିରେ ଜଣଙ୍କର ନାଁ ଗୁଲାମ ସରୱର ଥିଲା ।

୩- ଜାମ୍ମୁ କାଶ୍ମୀରରେ ୫ ସେନା ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଶରଫ ସ୍ୱୀକାର କରିଛି । ପୋଲିସ ଏହାର ଯାଞ୍ଚ କରୁଛି ।

୪ -ଆଇଏସଆଇ ଅଧିକାରୀ ନାସିରଙ୍କ ନିର୍ଦ୍ଦେଶରେ ସେ ଅନେକ ଥର ଜାମ୍ମୁ କାଶ୍ମୀରରେ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଯାଇଥିଲା ।

୫- ଆଇଏସଆଇ ଅଧିକାରୀଙ୍କ ସହ ସେ ସବୁବେଳେ ଇମେଲ ମାଧ୍ୟମରେ କଥା ହେଉଥିଲା । ଇମେଲର ଡ୍ରାଫ୍ଟରେ ଇମେଲ ଛାଡି ଦିଆଯାଏ ।

Get real time updates directly on you device, subscribe now.