fbpx

ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ବୋରିସ୍ ଜନସନ୍, ଖୁବ୍ ଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ: ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଖୁବ୍ ଶୀଘ୍ର ଭାରତ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ସେ ସ୍ୱୀକାର କରିବା ସହିତ ଭାରତ ଆସିବା ନେଇ ସମ୍ମତି ପ୍ରକାଶ କରିଛନ୍ତି । ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ବ୍ରିିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତ ଆସିବା ନେଇ ଯୋଜନା କରିବେ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ COP26 ଜଳବାୟୁ ଶିଖର ସମ୍ମିଳନୀ ଅବସରରେ ବୋରିସ୍ ଜନସନ୍ ଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ଅବସରରେ ଦୁଇ ନେତା ସବୁଜ ହାଇଡ୍ରୋଜେନ, ଅକ୍ଷୟ ଏବଂ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ।

ତେବେ ବୋରିସ୍ ଜନସନ୍ ଏହି ବର୍ଷ ପହିଲାରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପରେ ଭାରତ ଆସିବାକୁ ଥିଲେ । ହେଲେ କରୋନା ମହାମାରୀ କାରଣରୁ ତାଙ୍କ ଯାତ୍ରାକୁ ରଦ୍ଦ କରିଦିଆଯାଇଥିଲା । ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଯାତ୍ରା ଦୁଇ ଦୁଇ ଥର ରଦ୍ଦ ହେବା ପରେ ଗ୍ଲାସଗୋରେ ଜଳବାୟୁ ଶିଖର ସମ୍ମିଳନୀରେ ମୋଦୀ ଓ ଜନସନ୍ ଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ।

Get real time updates directly on you device, subscribe now.