fbpx

କମିଲାନି ସୋରିଷ ତେଲର ଦାମ୍, ପୂର୍ବଭଳି ୧୮୦ରୁ ୧୯୦ ଟଙ୍କାରେ ହେଉଛି ବିକ୍ରି

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆମଦାନି ଶୁଳ୍କ ହ୍ରାସ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଦର ହ୍ରାସ ପାଇଛି । ରାଜ୍ୟରେ ଉତ୍ପାଦିତ ସୋରିଷ ତେଲ ପୂର୍ବଭଳି ୧୮୦ରୁ ୧୯୦ ଟଙ୍କାରେ ବିକ୍ରି ହେଉଛି । ଏନେଇ ବ୍ୟବସାୟୀ ସଂଘ ମତ ପ୍ରକାଶ କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ହୋଲସେଲ୍‌ରେ ଲିଟର ପିଛା ପାମ୍‌ ତେଲ ୧୩୦ରୁ ୧୨୦ ଟଙ୍କାକୁ କମିଥିବାବେଳେ ସୂର୍ଯ୍ୟମୁଖୀ ତେଲ ୧୫୦ରୁ ୧୩୫ ଟଙ୍କାକୁ ହ୍ରାସ ପାଇଛି। ତେବେ ରାଜ୍ୟରେ ଉତ୍ପାଦନ ହେଉଥିବା ସୋରିଷ ତେଲ ପୂର୍ବଭଳି ୧୮୦ରୁ ୧୯୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ଦେଇଛନ୍ତି ବ୍ୟବସାୟୀ ସଂଘର ସଂପାଦକ ସୁଧାକର ପଣ୍ଡା ।

ସୂଚନା ଅନୁଯାୟୀ, ଖାଇବା ତେଲର ଦରବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବା ପରେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଖାଦ୍ୟ ତେଲ ଦର ନିୟନ୍ତ୍ରଣ ପାଇଁ ଚିଠି କରାଯାଇଥିଲା । ଅତ୍ୟାବଶକ ସାମଗ୍ରୀ ଆଇନ ଅନ୍ତର୍ଗତରେ ରାଜ୍ୟଗୁଡ଼ିକୁ ଦର ନିୟନ୍ତ୍ରଣ ପାଇଁ କୁହାଯାଇଥିଲା। ରାଜ୍ୟରେ କେତେ ତେଲ ଗଚ୍ଛିତ ରହିଛି; ଏହାର ନିରୀକ୍ଷଣ କରି ସୂଚନା ପ୍ରଦାନ ପାଇଁ ମଧ୍ୟ ନିର୍ଦେଶ ହୋଇଥିଲା। ତେବେ ଓଡ଼ିଶାକୁ ବାର୍ଷିକ ସାଢ଼େ ୫ ଲକ୍ଷ ଟନ୍‌ ଖାଇବା ତେଲର ଆବଶ୍ୟକତା ଥାଏ। ସେଥିରୁ ରାଜ୍ୟକୁ ମାସିକ ୪୫ ହଜାର ଟନ୍‌ ତେଲ ଆବଶ୍ୟକ ହେଉଥିବାବେଳେ କେବଳ ରାଜଧାନୀକୁ ୧୦ ହଜାର ଟନ୍‌ ତେଲ ଦରକାର ହୁଏ। ଏକ ବର୍ଷ ହେଲା ଖାଇବା ତେଲ ଦର ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଥିବାବେଳେ ବନସ୍ପତି ଘିଅ ମଧ୍ୟ ଦରବୃଦ୍ଧିରୁ ବାଦ୍‌ ପଡ଼ି ନାହିଁ । କେନ୍ଦ୍ର ସରକାର ସୂର୍ଯ୍ୟମୁଖୀ ତେଲରେ ଆମଦାନି ଶୁଳ୍କ ୩୮ ପ୍ରତିଶତରୁ ୩୦ ପ୍ରତିଶତକୁ ଏବଂ ରିଫାଇନ ତେଲର ଆମଦାନି ଶୁଳ୍କକୁ ୪୯ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ କରିଥିଲେ ।

 

Get real time updates directly on you device, subscribe now.