fbpx

ଫୁଡ୍ ପଏଜନିଂ ଯୋଗୁଁ ଓଡ଼ିଆ ମଡେଲଙ୍କ ମୃତ୍ୟୁ ! ଜିତିଥିଲେ ମିସ୍ ଗଞ୍ଜାମର ମୁକୁଟ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଆଜିକାଲି ଏପଟସେପଟ ଖାଇବା ବା ବ୍ୟାୟାମ ଯୋଗୁଁ ଅନେକ ସେଲିବ୍ରିଟ ଓ ଲୋକଙ୍କର ମୃତ୍ୟୁ ହେଉଛି । ସେହିପରି ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଫୁଡ୍ ପଏଜନିଂ କାରଣରୁ ଗଞ୍ଜାମ ସୁନ୍ଦରୀ ଓ ଚିଲିକା ସୁନ୍ଦରୀ ଭାବେ ପରିଚିତ ବ୍ରହ୍ମପୁରର ମଡେଲ୍ ପ୍ରିୟଙ୍କା ଉପାଧ୍ୟାୟଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ପ୍ରିୟଙ୍କାକୁ ମାତ୍ର ୨୪ ବର୍ଷ ହୋଇଥିଲା । ପ୍ରିୟଙ୍କା ହେଉଛନ୍ତି ବ୍ରହ୍ମପୁର ନିବାସୀ ସୁରେଶ ଚନ୍ଦ୍ର ଉପାଧ୍ୟାୟଙ୍କ ଝିଅ ।

ତେବେ ମିଳିଥିବା ସୂଚନା ମୁତାବକ, ଶନିବାର ଦିନ ପ୍ରିୟଙ୍କାଙ୍କ ଦେହ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହ ଫୁଡ୍ ପଏଜନ୍ ହୋଇଛି ବୋଲି କହିଥିଲେ । ପରେ ସୁସ୍ଥ ହେବାରୁ ପ୍ରିୟଙ୍କାଙ୍କୁ ପରିବାର ଲୋକ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ । ଘରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

ପ୍ରିୟଙ୍କା ୨୦୧୯ରେ ମିସ୍ ଗଞ୍ଜାମ୍ ଟାଇଟଲ୍ ଜିତିଥିବା ବେଳେ ସେହି ବର୍ଷ ହିଁ ମିସ୍ ଚିଲିକା ମୁକୁଟ ପିନ୍ଧିଥିଲେ । ୨୦୨୧ରେ ସେ ମିସ୍ ଫ୍ୟାସନ ଆଇକନ୍ ହୋଇଥିଲେ । ଏତେ କମ୍ ବୟସରେ ଫୁଡ୍ ପଏଜନିଂ ଯୋଗୁଁ ମୃତ୍ୟୁ ହୋଇଥିବାରୁ ସମସ୍ତଙ୍କ ମନରେ ବି ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ପ୍ରିୟଙ୍କାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସମେତ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.