fbpx

ସାମନାକୁ ଆସିଲା ଲଖୀମପୁର ହିଂସାର ଫୋରେନସିକ୍ ଲ୍ୟାବ୍ ରିପୋର୍ଟ: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସହଯୋଗୀ କରିଥିଲେ ଫାୟାରିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ହିଂସା ମାମଲାର ଫୋରେନସିକ୍ ଲ୍ୟାବ୍ ରିପୋର୍ଟ ଖୁଲାସା ହୋଇଛି । ଏହି ମାମଲାରେ ଦୁଇଜଣ ଗୁଳି ଚଳାଇଥିବା ନେଇ ପର୍ଦ୍ଦାଫାସ ହୋଇଛି । ଆନ୍ଦୋଳନରତ କିଷାନଙ୍କ ଉପରକୁ ବିଜେପି ନେତାମାନେ ଗୁଳି ଚାଳନା କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ତେବେ ଫୋନେସିକ୍ ରିପୋର୍ଟରେ ଫାୟାରିଂ ନେଇ ସ୍ପଷ୍ଟ କରାଯାଇଥିବା ବେଳେ ରିଭଲଭର କି ରାଇଫଲରୁ କରାଯାଇଛି ତାହା କୁହାଯାଇନାହିଁ ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶୀଷ ମିଶ୍ରା ଓ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ମାରଣାସ୍ତ୍ରରୁ ଫାୟାରିଂ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି ଦୁଇଜଣ ଗିରଫ ହୋଇ ଜେଲରେ ଥିବା ବେଳେ ଘଟଣା ଦିନ ଫାୟାରିଂ ଏ ଦୁହେଁ ବା ଅନ୍ୟ କେହି କରିଥିଲେ ତାହା ଉପରେ ଉଠିଛି ପ୍ରଶ୍ନ । ପୂର୍ବରୁ ଲଖୀମପୁର ପୋଲିସ ଅଙ୍କିତଙ୍କ ରିପିଟର ଗନ, ପିସ୍ତଲ ଓ ଆଶୀଷଙ୍କ ରାଇଫଲ, ରିଭଲଭର ଜବତ କରିଥିଲା । ଏହି ଚାରିଟି ଅସ୍ତ୍ରର ଫୋରେନସିକ ଲ୍ୟାବ ରିପୋର୍ଟ ମଗାଯାଇଥିବା ବେଳେ ଏବେ ଫାୟାରିଂ କରାଯାଇଥିବା ଖୁଲାସା ହୋଇଛି । ଦୁଇ ଜଣ ଏବେ ଜେଲରେ ରହିଥିବା ବେଳେ ଏହି ରିପୋର୍ଟ ଆସିବା ପରେ ସେମାନଙ୍କର ମୁସ୍କିଲ ବଢ଼ିଯାଇଛି । ସୂଚନାଯୋଗ୍ୟ ଯେ, ଗତ ମାସ ୩ ତାରିଖରେ ଖେରୀ ଅନ୍ତର୍ଗତ ତିକୁନିଆରେ କିଷାନମାନେ ୟୁପିର ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ୩ଟି ଗାଡ଼ି କିଷାନଙ୍କ ଉପରେ ମାଡ଼ିଯିବା ସହ ଘଟଣାସ୍ଥଳରେ ୪ କିଷାନ ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ । ଫଳରେ ଉତ୍ତେଜନା ବଢ଼ିବାରୁ ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ପୁଅ ଆଶୀଷ କୃଷକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବା ସହ ବିଜେପି ନେତାମାନେ ଫାୟାରିଂ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ବିଜେପି କର୍ମକର୍ତ୍ତାଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ମଧ୍ୟ କିଛି କିଷାନଙ୍କୁ ଗିରଫ କରାଯାଇଛି । ଏହି ମାମଲାର ତଦନ୍ତ ପ୍ରକିୟାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.