fbpx

ଏବେ ଦିଲ୍ଲୀରେ ଆରମ୍ଭ ହେଲା, ଆଗକୁ ବିଭିନ୍ନ ରାଜ୍ୟରେ ଲାଗୁ ହୋଇପାରେ ଲକଡାଉନ୍: କରୋନାଠାରୁ କିଛି କମ୍ ମାରାତ୍ମକ ନୁହେଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନିମ୍ନ ସ୍ତରରେ ରହିଛି । ତେଣୁ ପରିସ୍ଥିତି ଅତି ଜଟିଳ ହେବା ପୂର୍ବରୁ ସେଠାରେ ଲକଡାଉନ ଲାଗୁ ସମ୍ଭାବନା ଦେଖାଦେଇଛି । ସେଥିପାଇଁ ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ତେଣୁ ଏହି ସମୟରେ ଘରୋଇ ଓ ସରକାରୀ କର୍ମଚାରୀମାନେ ୭ ଦିନ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ କୁହାଯାଇଛି । ସୁପ୍ରିମକୋର୍ଟ ମଧ୍ୟ ଦୁଇଦିନ ଲକଡାଉନ ପାଇଁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ପାଇଁ ଦିଲ୍ଲୀର ବାୟୁ ଉପଯୁକ୍ତ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଇଣ୍ଡେକ୍ସ (ଏସଏଏଫଏଆର) ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବର୍ତ୍ତମାନ ପ୍ରାୟ ୩୮୬ ରହିଛି । ଇଣ୍ଡିଆ ଗେଟ ଓ କୋପରନିକସ ମାର୍ଗରେ ପ୍ରଦୂଷଣ ଓ କୁକୁଡ଼ି ଥିବା ସମୟରେ ସକାଳୁ ଏହା ରେକର୍ଡ କରାଯାଇଥିଲା । ଏକ୍ୟୁଆଇ ୦-୧୫ ରହିଲେ ଭଲ, ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ଓ ୪୦୦ ରହିଲେ ଖରାପ, ୪୦୧-୫୦୦ ମଧ୍ୟରେ ରହିଲେ ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ । ସରକାରଙ୍କ ସମସ୍ତ ପ୍ରୟାସ ପରେ ବି ଦିଲ୍ଲୀ-ଏନସିଆର ବାୟୁରେ କୌଣସି ସୁଧାର ଆସିନାହିଁ । ପରିସ୍ଥିତି ଏତେ ଖରାପ ଯେ, ଲୋକମାନେ ବାଧ୍ୟ ହୋଇ ମାସ୍କ ପିନ୍ଧୁଛନ୍ତି । କରୋନା ଟିକେ କମୁକମୁ ପୁଣି ଏକ ଭୟଙ୍କର ପରିସ୍ଥିତି ଦେଶକୁ ମାଡ଼ି ଆସିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହା ଉପରେ ପୂର୍ବରୁ କାହିଁକି ଗମ୍ଭୀରତାର ସହ ଆଲୋଚନା କରାଯାଉ ନଥିଲା । ଏଥିପାଇଁ ପ୍ରକୃତରେ ଦାୟୀ କିଏ, କେନ୍ଦ୍ର ସରକାର, ଦିଲ୍ଲୀ ସରକାର ନା ଅନ୍ୟ କୌଣସି ବିଭାଗ । ଦିଲ୍ଲୀ ପରି ଅନେକ ବଡ଼ ବଡ଼ ସହର ଦେଶରେ ରହିଛି । ସେଗୁଡ଼ିକର ପରିସ୍ଥିତି କ’ଣ ତାହା ମଧ୍ୟ ତୁରନ୍ତ ଦେଖିବା ଦରକାର । ଯଦି ଗୋଟିଏ ସହରରେ ଲକଡାଉନ ଲାଗୁ କରିବାକୁ ସରକାର ବାଧ୍ୟ ହେଉଛନ୍ତି, ତେବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆଗାମୀ ଦିନରେ ଏହି କଟକଣା ଲାଗିପାରେ । ଖଣ୍ଡା ଧାରରେ ଚାଲିଲା ଭଳି ବର୍ତ୍ତମାନ ସମାଜରେ ଗୋଟିଏ ପରେ ଗୋଟିଏ ବୀମାରୀ ମାଡ଼ି ଆସୁଛି । କରୋନା ପାଇଁ ଲକଡାଉନ ଲାଗୁ ହୋଇଥିବା ସମୟରେ ଅନେକ ସହରରେ ସ୍ୱଚ୍ଛ ପରିବେଶର ଚିତ୍ର ସାମନାକୁ ଆସିଥିଲା । ଏତେ କମ୍ ସମୟ ମଧ୍ୟରେ କେମିତି ସହରର ବାୟୁ ନିମ୍ନସ୍ତରକୁ ଚାଲିଗଲା, ତାହା ହିଁ ତଦନ୍ତସାପେକ୍ଷ । ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ନେଇ ଜନସଚେତନତା ସହ ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।

Get real time updates directly on you device, subscribe now.