fbpx

ପୁଣି ଅଡ଼ୁଆରେ ଶିଳ୍ପା ସେଟ୍ଟୀ-ରାଜ୍ କୁନ୍ଦ୍ରା, ଦୁହିଁଙ୍କ ଉପରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ବ୍ୟବସାୟୀ ରାଜ୍ କୁନ୍ଦ୍ରା ପୁଣିଏକ ଅଡ଼ୁଆରେ ପଡ଼ିଛନ୍ତି । ସେମାନଙ୍କ ଉପରେ ୧.୫୧ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଅଣାଯାଇଛି । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ ରେ ଏଫଆଇଆର୍ ଦିଆଯାଇଛି । ଖାଲି ସେତିକି ନୁହେଁ, ଶିଳ୍ପା ଓ ରାଜ୍ ଙ୍କ ବ୍ୟତୀତ ଫ୍ୟାଶନ୍ ଟିଭିର ଏମଡି ଓ ଅନ୍ୟ କିଛି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁନେରେ ରହୁଥିବା ଜଣେ ଯୁବକ ନିତିନ୍ ବରାଇ ତିନିଜଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ଏହି ଘଟଣା ୨୦୧୪ ମସିହାର ହୋଇଥିବାବେଳେ ଯୁବକଙ୍କ ଅଭିଯୋଗ ପରେ ପୋଲିସ୍ ଆଇପିସି ଧାରା ୪୨୦, ୫୦୬ ଓ ଅନ୍ୟ ଧାରା ଅଧୀନରେ ମାମଲା ରୁଜୁ କରିଛି । ଅଭିଯୋଗକାରୀଙ୍କ କହିବା କଥା ଯେ, ଏସଏଫଏଲ୍ ଫିଟନେସ୍ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ କାଶିଫ ଖାନ୍, ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା ଓ ଅନ୍ୟ ମାନେ ଫିଟନେସ୍ ସେଣ୍ଟର୍ ରେ ଟଙ୍କା ନିବେଶ କରିବା ପାଇଁ କହିଥିଲେ ଓ ଏଥିରେ ଲାଭ ହେବା ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ଯେତେବେଳେ ଏଥିରେ କୌଣସି ଲାଭ ହୋଇନଥିଲା ସେ ସମୟରେ ଯୁବକ ଜଣକ ତାଙ୍କ ଟଙ୍କା ଫେରାଇବାକୁ କହିଥିଲେ । ହେଲେ ଟଙ୍କା ଫେରାଇବା ପରିବେର୍ତ୍ତ ଓଲଟା ତାଙ୍କୁ ଧମକ ଚମକ ଦିଆଯାଇଥିଲା ।

ହେଲେ ଏ ପର୍ଯ୍ୟନ୍ତ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ପକ୍ଷରୁ ଏହି ମାମଲାର କୌଣସି ବୟାନ ସାମନାକୁ ଆସିନାହିଁ । ସୂଚନା ଥାଉ ଯେ, ନିକଟରେ ରାଜ୍ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ କରାଯାଇଥିଲା । ଆଉ ଏବେ ସେ ଆଉ ଏକ ଠକେଇ ମାମଲାରେ ସେ ଫସିବାକୁ ଯାଉଥିବା ଦେଖିବାକୁ ମିଳୁଛି । ପର୍ଣ୍ଣ ଭିଡିଓ ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ମାସରେ ଗିରଫ କରାଯାଇଥିଲା । ତାଙ୍କ ଉପରେ ପର୍ଣ୍ଣ ଫିଲ୍ମ ଶୁଟିଂ କରିବା ଓ ଆପ୍ ଜରିଆରେ ତାକୁ ଅପଲୋଡ୍ କରିବା ଅଭିଯୋଗ ଅଣାଯାଇଥିଲା । ଏହି ମାମଲାରେ ସେ ଦୁଇ ମାସ ଧରି ଜେଲରେ ଥିଲେ । ସେପ୍ଟେମ୍ବର ମାସରେ ସେ ମୁକୁଳିଛନ୍ତି ।

Get real time updates directly on you device, subscribe now.