କୋଲ୍ଡ ଡ୍ରିଙ୍କରେ ବିଷ ମିଶାଇ ୨ ଝିଅକୁ ପିଆଇବା ପରେ ନିଜେ ପିଇଦେଲା ମା’, ଚାଲିଗଲା ୭ ବର୍ଷୀୟ ନୀରିହର ଜୀବନ

ନୂଆଦିଲ୍ଲୀ: ଦୁଇ ଝିଅଙ୍କୁ କୋଲ୍ଡ ଡ୍ରିଙ୍କରେ ବିଷ ଦେଇ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ମା’ । ପରିଣାମସ୍ୱରୂପ ୭ ବର୍ଷୀୟ ଝିଅର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ । ଏହି ଘଟଣା ଗୁରୁବାର ଦିନ ଘଟିଥିବା ଜଣାପଡ଼ିଛି । ତେବେ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଓ ମାଆ, ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ବିଜୟୱାଡାଠାରେ ଏହି ଘଟଣା ଘଟିଛି । ୩୫ ବର୍ଷୀୟ ଦାଇଦା ନାଗ ଲକ୍ଷ୍ମୀ ଜଣେ ଶ୍ରମିକ ହୋଇଥିବା ବେଳେ ଗୁରୁବାର ଦିନ ଦୁଇ ଝିଅଙ୍କୁ କୋଲ୍ଡ ଡ୍ରିଙ୍କ ରେ ବିଷ ମିଶାଇ ପିଇବାକୁ ଦେଇଥିଲେ ଓ ପରେ ନିଜେ ପିଇଦେଇଥିଲେ ଲକ୍ଷ୍ମୀ । ଏହାପରେ ପିଲାମାନେ ଖୁବ୍ ଜୋରରେ ଯନ୍ତ୍ରଣାରେ ପାଟି କରିଥିଲେ । ଏହା ଶୁଣି ପଡୋଶୀ ମାନେ ଚାଲି ଆସିଥିଲେ ।

ସେମାନେ ଦେଖିବାକୁ ପାଇଥିଲେ ଯେ, ଦୁଇ ଜଣ ପିଲା ଚଟାଣରେ ପେଟକୁ ଜାବୁଡ଼ି ଧରି ପଡ଼ିଛନ୍ତି ଓ ତାଙ୍କ ସହିତ ଲକ୍ଷ୍ମୀ ମଧ୍ୟ ଚାଟଣରେ ପଡ଼ିଛନ୍ତି । ଏହାପରେ ସେମାନଙ୍କୁ ନିକଟ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ପୋଲିସ୍ ସୂଚନା ଦେଇଛି । ତେବେ ଯାଞ୍ଚରୁ ଜଣାପଡ଼ିଛି ଯେ, ଗତବର୍ଷ ଲକ୍ଷ୍ମୀଙ୍କ ସ୍ୱାମୀ କୋଭିଡରେ ମୃତ୍ୟୁବରଣ କରିଥିଲେ । ଏହା ପରଠାରୁ ଲକ୍ଷ୍ମୀ ମଜୁରିଆ ଭାବେ କାମ କରି ଟଙ୍କା ରୋଜଗାର କରୁଥିଲେ । ଯାହାଫଳରେ ଘର ଚଳାଇବାରେ ଅନେକ ସମସ୍ୟା ଦେଖାଦେଉଥିଲା । ଆଉ ଶେଷରେ ଧୈଯ୍ୟ ହରାଇ ଏପରି ଏକ ପଦକ୍ଷେପ ଉଠାଇବାକୁ ଯାଉଥିଲେ ଲକ୍ଷ୍ମୀ ।