କାଳ ହେଲା ମାମୁଁ ଘର ବୁଲି: କୂଅରେ ପଡି ପ୍ରାଣ ହରାଇଲା ୮ ବର୍ଷର ବାଳକ

ନରସିଂହପୁର(ଓଡ଼ିଶା ଭାସ୍କର): ସ୍ନେହର ଡାକରା ନେଇ ବର୍ଷ ବୟସର କୁନି ପିଲା ଆନନ୍ଦ ରେ ବିଭୋର ହୋଇ ମା ଙ୍କ ସହ ଦୌଡ଼ି ଯାଇଥିଲା ସୁଦୂର ମାମୁଁ ଘରକୁ। ଭଣଜା ଆସିଛି ବୋଲି ଆନନ୍ଦରେ ଭୂଇଁରେ ପାଦ ଲାଗୁନଥିଲା ମାମୁଁମାଇଁଙ୍କର । ସୁରୁଖୁରରେ ବିତିଗଲା ଗୋଟିଏ ଦିନ । ଦିନକ ପରେ କିଏ ଜାଣିଛି ସୁଖର ସଂସାର ହଠାତ୍ ପାଣି ଫୋଟକା ପରି ମଉଳି ଯିବ ଏବଂ ଛାତିରେ ଦୁଃଖ ଭରି ଦେଇ ସବୁଦିନ ପାଇଁ ଚାଲିଯିବ ଏକମାତ୍ର ଗେହ୍ଲା ଭଣଜା ଜ୍ଞାନରଞ୍ଜନ । କାନପୁର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା ବୟସ ୮ ନରସିଂହପୁର ଥାନା ଅନ୍ତର୍ଗତ ପାଇକାପଡ଼ାପାଟଣା ଗ୍ରାମରେ ଥିବା ନିଜ ମାମୁଁ ମାଧବ ବେହେରାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ।ହେଲେ ଭାଗ୍ୟର ବିଡମ୍ବନା ଖେଳୁଥିବା ସମୟରେ ଜ୍ଞାନ କୂଅରେ ଖସିପଡ଼ିଥିଲା। ଜ୍ଞାନ ଖେଳିବାକୁ ମାଧବଙ୍କ ଘର ପଛପଟ କୁ ଯାଇଥିଲେ।
ମାଧବଙ୍କ ସ୍ତ୍ରୀ କାମ ସାରିଲା ପରେ ଯେତେବେଳେ ଜ୍ଞାନକୁ ଡାକିଥିଲେ କିଛି ଉତ୍ତର ମିଳିନଥିଲା । ମାଧବଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ସବୁଆଡେ ଖୋଜିଥିଲେ କିନ୍ତୁ କୌଣସି ସ୍ଥାନରେ ନପାଇ ସନ୍ଦେହରେ ଘର ପଛ ପାଖ କୂଅରେ ଦେଖିଲେ । ଚପଲ କୂଅ ଭିତରେ ଭାସୁଥିବା ବେଳେ ମାଧବଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଗାଁ ଲୋକ ମାନଙ୍କୁ ଡାକିଥିଲେ । ଉଦ୍ଧାର କରି ଜ୍ଞାନରଞ୍ଜନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।